ଭଞ୍ଜନଗର,୩୧/୦୧: ରାଜ୍ୟ ପୁଲିସକୁ ବଡ ସଫଳତା। ପଶ୍ଚିମବଙ୍ଗରୁ ଆସିଥିବା ୨୧ ଫେରିବାଲାଙ୍କୁ ମାଡି ବସିଲା ପୁଲିସ । ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମୋବାଇଲ ସେଟ୍, ବ୍ୟାଟେରୀ ଓ ମଦର ବୋର୍ଡ ସହ ୫ଟି ଟ୍ୟାବଲେଟ, କିଛି ଅଳଙ୍କାର ଓ ୧୧ ଟି ମୋଟର ସାଇକେଲ ଜବତ କରାଯାଇଛି।ତେବେ ଏସବୁ ପଛରେ କ'ଣ କାରଣ ରହିଛି ଏନେଇ ତଦନ୍ତ କରୁଛି ପୁଲିସ। 

ଦିନରେ ଫେରି କରୁଥିବା ବେଳେ ରାତିରେ ଏମାନେ ଚୋରି ମଧ୍ୟ କରୁଥିବା ପୁଲିସ ସନ୍ଦେହ କରୁଛି। ଭଞ୍ଜନଗରରେ ଥିବା ସବୁ ମନ୍ଦିର ଚୋରି ଘଟଣାରେ ଏମାନଙ୍କ ସଂପୃକ୍ତି ଅଛି କି ନାହିଁ ତାର ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ। ଗିରଫ ସମସ୍ତ ୨୧ ଜଣ ପଶ୍ଚିମବଙ୍ଗ ମୁର୍ଶିଦାବାଦ କାଶିପୁର, ନଦିଆ, ପାନିପିଆ, ଭିନ୍ ନଗର, କୁଲବୁନା ଅଞ୍ଚଳର ବୋଲି ସୂଚନା ମିଳିଛି। ଗାଁ ଗହଳିର ଲୋକଙ୍କ ଠାରୁ ଚୁଟି, ମୋବାଇଲ, ବିଭିନ୍ନ ଅଦରକାରୀ ଅଳଙ୍କାର ଆଦି କିଣି ଏମାନେ ପ୍ରତି ବଦଳରେ ବିଭିନ୍ନ ଆଲୁମିନିୟମ ସାମଗ୍ରୀ ଦେଇଥାନ୍ତି। ତେବେ ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଜୟନ୍ତ ମଣ୍ଡଳ, ରାବ୍ୟୁଲ ମାଲା, ଅମ୍ରିତ ମାଲଦାର, ରମିନ୍ ମାଲଦାର, ଶୁଭଜିତ୍ ମଣ୍ଡଳ, ଅଞ୍ଜନ ମାଲଦାର, କିଶୋର ମାଲଦାର, ମିଲନ ମଣ୍ଡଳ, ଅମ୍ରିତ୍ ଦାଶ, ପାଲାସା ସରକାର, ପ୍ରଦିପ ମାଲଦାର, ମୁକ୍ତାର ଶେଖ୍, ଇନ୍ଦ୍ରଜିତ ମଣ୍ଡଳ, ବିପୁଲ୍ ହାଲଦାର, ନିଖିଲ ପାଲ, ରଞ୍ଜନ ଦାସ, ପ୍ରଶନ୍ନଜିତ୍ ଦାଶ, ସୁଦିପ୍ ପାଲ୍ ଓ ଅମଜାଦ୍ ଶେଖ୍ । ଭଞ୍ଜନଗର ଥାନାରେ କେଶ ନମ୍ବର - ୯୨/୧ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଶନିବାର ମଧ୍ୟାହ୍ନରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଏସଡ଼ିପିଓ ଡକ୍ଟର ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ଅନ୍ୟାନ୍ୟ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।