ନୂଆଦିଲ୍ଲୀ - ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ବିଶ୍ୱ ଶକ୍ତି ସଙ୍କଟକୁ ଆହୁରି ତୀବ୍ର କରି ଦେଇଛି। ଭାରତ ସମେତ ଅନେକ ଦେଶ ଏବେ ଏହି ରୁଟ୍ ମଧ୍ୟ ଦେଇ ସେମାନଙ୍କର ଜାହାଜକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ମୁମ୍ବାଇ ସ୍ଥିତ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ ୨୨ଟି ଜାହାଜକୁ ଚିହ୍ନଟ ହୋଇଛି ଏବଂ ରୁଟ୍ ଖାଲି ହେବା ମାତ୍ରେ ପ୍ରଥମେ ସେମାନଙ୍କୁ ବାହାର କରାଯିବ। ନିର୍ଦ୍ଦେଶାଳୟର ଏହି ବିବୃତ୍ତି ଏମିତି ସମୟରେ ଆସିଛି, ଯେତେବେଳେ ସରକାରୀ ସୂତ୍ର ରିପୋର୍ଟ କରିଛି ଯେ, ଭାରତ ଏହାର ୩୦ଟି ବାଣିଜ୍ୟିକ ଜାହାଜକୁ ସୁରକ୍ଷିତ ସ୍ଥାନାନ୍ତର ସମ୍ପର୍କରେ ଇରାନ ସହିତ ଆଲୋଚନା କରୁଛି।

ରିପୋର୍ଟ ଅନୁଯାୟୀ, ମୋଟ ୨୮ଟି ଜାହାଜ ବର୍ତ୍ତମାନ ଉପସାଗର ଅଞ୍ଚଳରେ ଫସି ରହିଛି, ଯାହା ମଧ୍ୟରୁ ୨୪ଟି ହୋର୍ମୁଜ ପ୍ରଣାଳୀର ପଶ୍ଚିମ ଭାଗରେ ରହିଛି, ୪ଟି ହୋର୍ମୁଜ ଓ ଓମାନ ଉପସାଗର ସ୍ଥିତ ପୂର୍ବ ଭାଗ ନିକଟସ୍ଥ ଜଳକ୍ଷେତ୍ରରେ ଫସି ରହିଛି।

ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ, ଇରାନ ହୋର୍ମୁଜ୍ ପ୍ରଣାଳୀକୁ ବନ୍ଦ କରି ଦେଇଛି, ଏହି କାରଣରୁ ଭାରତ ସମେତ ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ସରକାର ଏହି କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଏବଂ ଜାହାଜଗୁଡ଼ିକ ସୁରକ୍ଷିତ ଭାବରେ ଭାରତରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ନୌସେନା ଏସ୍କର୍ଟ ଭଳି ସୁରକ୍ଷା ବ୍ୟବସ୍ଥା ଯୋଜନା କରୁଛନ୍ତି।

ଅନ୍ୟ ରିପୋର୍ଟ ଅନୁଯାୟୀ, ଚିହ୍ନଟ ହୋଇଥିବା ୨୨ଟି ଜାହାଜ ମଧ୍ୟରୁ ୧୩ଟି ଭାରତୀୟ ପତାକା ଯୁକ୍ତ, ଆଉସବୁ ଅନ୍ୟ ଦେଶର। ଏହି ସମସ୍ତ ଜାହାଜକୁ ଭାରତ ଆସିବାର ଥିଲା। ଏହି ଜାହାଜଗୁଡ଼ିକ ମଧ୍ୟରୁ ତିନୋଟିରେ LNG, ୧୧ ଟିରେ LPG ଏବଂ ଆଠଟିରେ ଅଶୋଧିତ ତୈଳ ଲୋଡ୍ ହୋଇଛି। ଆକଳନ ମୁତାବିକ , ଏହି ଜାହାଜର କାର୍ଗୋରେ ପ୍ରାୟ ୨୧୫,୦୦୦ ମେଟ୍ରିକ୍ ଟନ୍ LNG, ପ୍ରାୟ ୪୧୫,୦୦୦ ମେଟ୍ରିକ୍ ଟନ୍ LPG ଏବଂ ପ୍ରାୟ ୧୭,୫୦,୦୦୦ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ରହିଛି । ଏହା ବ୍ୟତୀତ , ଆଉ ତିନୋଟି ଭାରତୀୟ ପତାକାଯୁକ୍ତ କଣ୍ଟେନର ଜାହାଜକୁ ମଧ୍ୟ ଚିହ୍ନଟ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ସରକାର ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ୨୧୫ ଜଣ ନାବିକଙ୍କୁ ବାହାର କରି ନେଇଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ତେହେରାନରେ ଅଲବିଦା ଜୁମାରେ ବଡ଼ ବିସ୍ଫୋରଣ , ଇସ୍ରାଏଲ ବିରୋଧୀ ପ୍ରଦର୍ଶନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ

ଉଲ୍ଲେଖନୀୟ ଯେ ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ପେଜସିକୟାନ ମଧ୍ୟରେ ଗୁରୁବାର ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲା।