ମାଲକାନଗିରି, ୧୧/୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୋଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମ ସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ, ଛତିଶଗଡରେ ବର୍ତ୍ତମାନ ସୁରକ୍ଷା ବାହିନୀର ଘନ ଘନ ମାଓ ଦମନ ଅଭିଯାନ ଏବଂ ପୁନର୍ବାସ ତଥା ଥଇଥାନ ନୀତି ଦ୍ୱାରା ପ୍ରଭାବିତ ହୋଇ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବାବେଳେ ଆଜି ପୁଣି ୨୨ଜଣ ମାଓବାଦୀ ମାଓ ସଙ୍ଗଠନ ଛାଡି ସାଧାରଣ ଜୀବନ ଯାପନ ପାଇଁ ଆତ୍ମସମର୍ପଣ କରିଛନ୍ତି।
ଏହି ମାଓବାଦୀମାନଙ୍କ ଉପରେ ମୋଟ ୩୭.୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଏମାନେ ପୂର୍ବରୁ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୪ଜଣ ପୁରୁଷ ଏବଂ ୮ଜଣ ମହିଳା ମାଓବାଦୀ ଅଛନ୍ତି। ଯେଉଁଥିରେ ଡିଭିସିଏମ, ଏସିଏମ କ୍ୟାଡରର ମାଓବାଦୀ ମଧ୍ୟ ରହିଛନ୍ତି। ଏହି ମାଓବାଦୀମାନେ ନାରାୟଣପୁର ଜିଲ୍ଲାର ମାଡ ଡିଭିଜନର କୁତୁଲ, ନେସଲନାର, ଇନ୍ଦ୍ରାବତୀ କ୍ଷେତ୍ର ମାଓ କମିଟିରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ସ୍ୱରୂପ ୫୦,୦୦୦ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନାରାୟଣପୁର ଏସପି ରୋବିନସନ ଗୁଡ଼ିୟା ପ୍ରକାଶ କରିଛନ୍ତି।