ଭୁବନେଶ୍ୱର,୧୨/୦୬:  ରାଜଧାନୀରେ ମହାମାରୀ ଏଚ୍‌ଆଇଭି  କାୟା ମେଲାଉଛି । ଯୌନ କର୍ମୀ  (ରୂପଜୀବୀ/ସେକ୍ସ ୱାର୍କର) ସଂଖ୍ୟା ଯେତିକି ବଢ଼ିଛି ସେହି ଅନୁସାରେ ଏଚ୍‌ଆଇଭି ସଂକ୍ରମଣ ବି ବଢ଼ିଛି ।  ପୂର୍ବ ବର୍ଷ ତୁଳନାରେ ୩ ଗୁଣା ବଢ଼ିଛି  ଏଚ୍‌ଆଇଭି ସଂକ୍ରମିତ ଯୌନକର୍ମୀଙ୍କ  ସଂଖ୍ୟା । ୨୦୨୪ରେ ରାଜଧାନୀରେ ୨୨  ଜଣ ଯୌନ କର୍ମୀ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସେମାନଙ୍କ ମଧ୍ୟରୁ ୮୦% ବଙ୍ଗାଳୀ । ତେବେ ଏମାନେ ସତରେ ପଶ୍ଚିମବଙ୍ଗର ନା  ବାଂଲାଦେଶୀ ତାହା କେହି ଜାଣିନାହାନ୍ତି । ଏ କ୍ଷେତ୍ରରେ କାମ କରୁଥିବା ଏକ  ସାମାଜିକ ଅନୁଷ୍ଠାନର ସର୍ଭେ ରିପୋର୍ଟରୁ  ଏହି ବିପଦଜନକ ଖବର ପଦାକୁ  ଆସିଛି । ଯାହା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି ।  

ଯେଉଁ ରାଜ୍ୟରେ କେତେ  ଯୌନକର୍ମୀ ଅଛନ୍ତି ଗତ କିଛି ଦିନ  ତଳେ କେନ୍ଦ୍ରସରକାରଙ୍କ ପିଏମପିଏସଇ  ରିପୋର୍ଟରେ ପ୍ରକାଶ ପାଇଥିଲା । ରାଜ୍ୟର  ପ୍ରାୟ ସବୁ ଜିଲ୍ଲାରେ ମହିଳା ଯୌନକର୍ମୀ,  ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷ  ଯୌନକର୍ମୀ, କିନ୍ନର ଓ ତୃତୀୟ ଲିଙ୍ଗୀଙ୍କୁ  ଚିହ୍ନଟ କରାଯାଇଛି । ରାଜ୍ୟରେ ପାଖାପାଖି  ୨୪ ହଜାର ମହିଳା ଯୌନକର୍ମୀ ଅଛନ୍ତି ।  ୨୦୧୯ରେର ରାଜ୍ୟ ସରକାର  ବିଧାନସଭାରେ କହିଥିଲେ ୨୨ ଜିଲ୍ଳାରେ  କାମ କରୁଛନ୍ତି ୧୧,୭୫୦ ଜଣ  ଯୌନକର୍ମୀ । ଏମାନଙ୍କ ମଧ୍ୟରୁ ମଧ୍ୟରୁ  ୧୩୮୦ ଜଣ ଏଚ୍‌ଆଇଭି ସଂକ୍ରମିତ ଥିବା ସେତେବେଳେ ଜଣାପଡ଼ିଥିଲା ।  ଏମାନଙ୍କ ମଧ୍ୟରୁ କିଛି ଚିକିତ୍ସିତ ଥିବା  ବେଳେ କିଛି ନିଜ ପେଟପାଟଣା ପାଇଁ  ଲୁଚିଛପି ବେପାର କରୁଥିବା ସର୍ଭେରୁ  ଜଣାପଡିଥିଲା । କେନ୍ଦ୍ର ସରକାରଙ୍କ  ପକ୍ଷରୁ ଓଡ଼ିଶା ସମେତ ଦେଶର ୩୨ଟି  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୬୫୧ଟି ଜିଲ୍ଲାରେ ୨୦୨୦ ଜାନୁୟାରୀରୁ  ୨୦୨୨ ନଭେମ୍ବର ମାସ ପର୍ଯ୍ୟନ୍ତ  ସର୍ଭେ ହୋଇଥିଲା । ଏହି ସମୟରେ  ମଧ୍ୟରେ ଓଡ଼ିଶାରେ ୨୪ ହଜାର  ମହିଳା ଯୌନକର୍ମୀ କାମ କରୁଥିବା  ଜଣାପଡ଼ିଥିଲା । ୩ ବର୍ଷ ମଧ୍ୟରେ  ରାଜ୍ୟରେ ୨ଗୁଣା ବଢ଼ିଛି ଯୌନକର୍ମୀଙ୍କ  ସଂଖ୍ୟା । ସେହି ତୁଳନାରେ ଏଚ୍‌ଆଇଭି  ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  

୨୦୨୩ରେ ରାଜଧାନୀରୁ ୭ ଜଣ  ଯୌନ କର୍ମୀ ଏଚ୍‌ଆଇଭି ସଂକ୍ରମିତ ଭାବେ  ଚିହ୍ନଟ ହୋଇଥିଲେ । ୨୦୨୪ରେ ପୁଣି ୨୨  ଜଣ ଯୌନ କର୍ମୀ ଏଚ୍‌ଆଇଭି ସଂକ୍ରମିତ  ହୋଇଥିବା ଏନ୍‌ଜିଓ ସଂସ୍ଥାର ରିପୋର୍ଟ  କହୁଛି । ୨୨ ଜଣଙ୍କ ମଧ୍ୟରୁ ୧୭ ଜଣ  ଯୁବତୀ ନିଜକୁ ପଶ୍ଚିମବଙ୍ଗର ବୋଲି ଦାବି କରିଥିଲେ । ହେଲେ ଏହାର ଯଦି ତଦନ୍ତ ହେବ ତା’ହେଲେ ଏମାନଙ୍କର ପ୍ରକୃତ  ଘର ବାଂଲାଦେଶ ବୋଲି ପ୍ରମାଣ ମିଳିବ ।  ୨୦୧୮ ପୂର୍ବରୁ କମିଶନ୍‌ରେଟ୍‌  ପୁଲିସ୍‌ ରାଜଧାନୀ ଓ ତାର ଉପକଣ୍ଠର  ବିଭିନ୍ନ ଆଡ଼େ ଧରପଗଡ଼ କରୁଥିଲା । ପ୍ରତି  ଥାନା ଅଞ୍ଚଳରେ ମାସକୁ ୨ରୁ ୩ଟି ସେକ୍ସ  ର‌୍ୟାକେଟ୍‌ ପୁଲିସ୍‌ ପଞ୍ଝାରେ ପଡୁଥିଲା ।  ତେବେ ଏହି ସମୟରେ ଯେଉଁମାନେ  ଧରାଡୁଥିଲେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର  କରି ଡାକ୍ତରୀମାଇନା କରାଉଥିଲା ।  ଡାକ୍ତରୀ ମାଇନା ସମୟରେ ଏମାନଙ୍କର  ଏଚ୍‌ଆଇଭି ଟେଷ୍ଟ ବି ହେଉଥିଲା । ଏବେ  ପୁଲିସ୍‌ ବର୍ଷକୁ ୨/୩ଟି ସେକ୍ସ ର‌୍ୟାକେଟ୍‌  ଉପରେ ଚଢ଼ଉ କରୁଛି। ଚଢ଼ଉ ଧୀମା  ହେତୁ ଦଲାଲ୍‌ମାନେ ଗଳିକନ୍ଦିରେ ସେକ୍ସ  ର‌୍ୟାକେଟ୍‌ ଚଳାଉଛନ୍ତି ।  କେନ୍ଦ୍ର ସରକାରଙ୍କ ତଥ୍ୟ ଠାରୁ ୧୦  ଗୁଣା ଅଧିକ ଦେହଜୀବୀ ରାଜ୍ୟରେ ଅଛନ୍ତି  ବୋଲି ବିଭିନ୍ନ ଏନ୍‌ଜିଓ ସଂସ୍ଥାର ସର୍ଭେ  ରିପୋର୍ଟ କରୁଛି ।

ଏନ୍‌ଜିଓ ସଂସ୍ଥାର କହିବା  କଥା, ରାଜ୍ୟରେ ୫୦ ହଜାରରୁ ଅଧିକ  ଦେହଜୀବୀ ଅଛନ୍ତି । କାରଣ କରୋନା  ସମୟରେ ଭୁବନେଶ୍ୱରରେ ୩ ହଜାର  ମହିଳା ଯୌନକର୍ମୀ ସରକାରୀ ସହାୟତା  ନେଇଥିଲେ । କେନ୍ଦ୍ର ସରକାରଙ୍କ ତଥ୍ୟରେ  ଉଲ୍ଲେଖ ରହିଛି ଖୋର୍ଦ୍ଧା ଜିଲ୍ଳାରେ ୯୮୭  ଜଣ ଦେହଜୀବୀ ଅଛନ୍ତି । ହେଲେ ପ୍ରକୃତ  ସ୍ଥିତି କିଛି ଅଲଗା । କେବଳ ମାଳିସାହିରେ  ୧୧ ଶହରୁ ଅଧିକ ଦେହଜୀବୀ କାମ  କରୁଛନ୍ତି । ଏହାର ପ୍ରମାଣ ହେଲା ଗତ  କରୋନା ସମୟରେ ସରକାର ୧୧୦୦  ଦେହଜୀବୀଙ୍କୁ ଡାଲି, ଚାଉଳ ଓ ଆର୍ଥିକ  ସହାୟତା ଦେଇଥିଲେ । ତା’ଛଡା  ଭୁବନେଶ୍ୱର ବିଭିନ୍ନ ୱେବ୍‌ସାଇଟ୍‌ରେ ଶହ  ଶହ ଯୁବତୀ କାମ କରୁଛନ୍ତି । ସରକାରଙ୍କ  ପାଖରେ ଏହାର ଖବର ନାହିଁ ।