ନୂଆଦିଲ୍ଲୀ, ୩୧।୩: କରୋନା ମହାମାରୀର ଭୟ ଏବେ ବି ଟଳିନାହିଁ । ଯେତେବେଳେ ମନେହୁଏ ସବୁକିଛି ସ୍ୱାଭାବିକ ହୋଇଯାଇଛି, ସେତେବେଳେ ଭୂତାଣୁର ଏକ ନୂଆ ରୂପ ଦୁନିଆକୁ ପୁଣି ଥରେ ଚିନ୍ତାରେ ପକାଉଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ଏକ ନୂଆ ଭାରିଆଣ୍ଟ ‘Cicada’(ସିକାଡ଼ା) ଖୁବ୍ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି । ବୈଜ୍ଞାନିକ ଭାଷାରେ ଏହାକୁ BA.3.2 କୁହାଯାଉଛି ।

କ’ଣ ଏହି ‘ସିକାଡ଼ା’ ଭାରିଆଣ୍ଟ ?

ଏହି ନୂଆ ଭାରିଆଣ୍ଟଟି ଓମିକ୍ରନ୍ ପରିବାରର ଏକ ବଂଶଧର । ଏହାକୁ 'ସିକାଡ଼ା' ନାମ ଦିଆଯିବାର ଏକ ବିଶେଷ କାରଣ ରହିଛି । ‘ସିକାଡ଼ା’ ଏକ ପ୍ରକାର କୀଟ, ଯିଏ ବହୁ ଦିନ ଧରି ମାଟି ତଳେ ଲୁଚି ରହି ହଠାତ୍ ବାହାରକୁ ଆସି ସମସ୍ତଙ୍କୁ ଚକିତ କରିଦିଏ । ଠିକ୍ ସେହିପରି BA.3.2 ଭାରିଆଣ୍ଟ ମଧ୍ୟ ବହୁ ଦିନ ଧରି ବୈଜ୍ଞାନିକଙ୍କ ନଜରରୁ ବଞ୍ଚି ରହି ଏବେ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂଆ ଭାରିଆଣ୍ଟରେ ପ୍ରାୟ ୭୦ ରୁ ୭୫ଟି ଜେନେଟିକ୍ ପରିବର୍ତ୍ତନ (Mutations) ଦେଖିବାକୁ ମିଳିଛି ।

ଏହା ବି ପଢ଼ନ୍ତୁ... ​​​​​​​ପାଲେଷ୍ଟାନୀୟଙ୍କୁ ସିଧା ମୃତ୍ୟୁଦଣ୍ଡ ,ସଜା ଘୋଷଣାର କେବଳ ୯୦ ଦିନରେ ହିଁ ମିଳିବ ଫାଶୀ

ଭ୍ୟାକ୍ସିନକୁ ଦେଇପାରେ ଚକମା: ଏହାର ସ୍ପାଇକ୍ ପ୍ରୋଟିନ୍‌ରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏବଂ ପୂର୍ବରୁ ନେଇଥିବା ଭ୍ୟାକ୍ସିନ ଏହାକୁ ଚିହ୍ନିବାରେ ବିଫଳ ହୋଇପାରନ୍ତି ।

ଅଜଣା ଶତ୍ରୁ: ବର୍ତ୍ତମାନର ଭ୍ୟାକ୍ସିନଗୁଡ଼ିକ ପୁରୁଣା ଭାରିଆଣ୍ଟକୁ ଆଧାର କରି ପ୍ରସ୍ତୁତ, କିନ୍ତୁ ‘ସିକାଡ଼ା’ ଆମ ଶରୀର ପାଇଁ ଜଣେ ‘ଅଜଣା ଆଗନ୍ତୁକ’ପରି ।

ଭାରତ ଉପରେ ଏହାର ପ୍ରଭାବ:

ଭାରତରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ହେଁ ବିପଦ ଟଳିନାହିଁ । ଭାରତୀୟ ଜିନୋମ୍ ସିକ୍ୱେନ୍ସିଂ ସଂସ୍ଥା ଅନୁଯାୟୀ, ଦେଶରେ XFG ଭାରିଆଣ୍ଟର ୧୬୩ଟି ମାମଲା ଚିହ୍ନଟ ହୋଇସାରିଛି । ଆନ୍ତର୍ଜାତୀୟ ଯାତ୍ରୀଙ୍କ ମାଧ୍ୟମରେ ‘ସିକାଡ଼ା’ ଭାରତରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

କେଉଁମାନେ ସତର୍କ ରହିବା ଉଚିତ୍ ?

ଯଦିଓ ଏହା ପୁରୁଣା ଭାରିଆଣ୍ଟ ତୁଳନାରେ ଅଧିକ ମାରାତ୍ମକ ବୋଲି ପ୍ରମାଣ ମିଳିନାହିଁ, କିନ୍ତୁ ଏହାର ସଂକ୍ରମଣ ହାର ଖୁବ୍ ଅଧିକ । ବିଶେଷ କରି ଯେଉଁମାନେ ପୁରୁଣା ଫୁସଫୁସ ରୋଗରେ ପୀଡ଼ିତ । ଯେଉଁମାନଙ୍କଠାରେ ‘Long COVID’ର ଲକ୍ଷଣ ଅଛି । ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ସତର୍କ ରହିବା ଜରୁରୀ ।

ବର୍ତ୍ତିବାର ଉପାୟ:

୧. ନିୟମିତ ହାତ ଧୁଅନ୍ତୁ: ଏହାଦ୍ୱାରା ସଂକ୍ରମଣର ଆଶଙ୍କା ୨୧% ପର୍ଯ୍ୟନ୍ତ କମିଯାଏ ।

୨. ମାସ୍କର ବ୍ୟବହାର: ଭିଡ଼ ଅଞ୍ଚଳକୁ ଗଲେ ସତର୍କତା ଅବଲମ୍ବନ କରନ୍ତୁ ।

୩. ସଙ୍ଗରୋଧ: ଯଦି ଦେହ ଖରାପ ଲାଗେ, ତେବେ ତୁରନ୍ତ ନିଜକୁ ଅଲଗା ରଖନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।