ପୁରୀ,୧୪/୦୭: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ରହିଲା ମାତ୍ର ଦୁଇ ଦିନ । ଏଣୁ ରଥ ତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ । ସୋମବାର ତିନି ରଥରେ ପ୍ରଭା ସ୍ଥାପନ କରାଯାଇଛି । ଦଉଡ଼ିରେ ବାନ୍ଧି ଭୋଇ ସେବକମାନେ ରଥ ଉପରକୁ ପ୍ରଭା ଉଠାଇଥିଲେ । ଚଉଦନାହାକାରେ ଲାଗିଥିବା ଧୂଳିଦଣ୍ଡାରେ କଣ୍ଟାରେ ପ୍ରଭା ଟଙ୍ଗା ଯାଇଥିଲା । ପ୍ରଭାକୁ ଟେକି ରଖିବା ପାଇଁ ପ୍ରଭା ଅପସରା ଓ ବଇଠି ଲାଗିଥିଲା । ଚକା ସିଂହାସନରେ ଅବସ୍ଥାନ କରିବା ପରେ ପ୍ରଭାକୁ ଆଉଜିବେ ଶ୍ରୀବିଗ୍ରହ । ରଥର କନା ପଡ଼ିବା କାର୍ଯ୍ୟ ଜାରି ରଖିଛନ୍ତି କୋଠସୁଆଁସିଆ ସେବକ ।

ଉପରେ ଚଢ଼ି ଶୂନ୍ୟରେ ଝୁଲିଲା ଭଳି କୋଠସୁଆଁସିଆ ରଥ କନା ଲଗାନ୍ତି । ରଥ ଦୁଆରଘଡ଼ାରେ କନାମଣ୍ଡଣୀ କାର୍ଯ୍ୟ ଶେଷ ହୋଇଛି । ଦର୍ଜୀ ସେବକ ପ୍ରସ୍ତୁତ କନା ଯୋଗାଇଲେ ଏମାନେ ରଥରେ ଲଗାଇବେ । ତାଳଧ୍ୱଜ ରଥରୁ କାର୍ଯ୍ୟାରମ୍ଭ ହେବାର ବିଧି ପାରମ୍ପରିକ ଭାବେ ପାଳନ ହେଉଛି । ଶେଷରେ ରଥ ପ୍ରତିଷ୍ଠା ପରେ ପିତ୍ତଳ କଳସ ସ୍ଥାପନ କଲେ ଠାକୁରେ ପହଣ୍ଡି ହୋଇ ଆସି ରଥାରୂଢ଼ ହେବେ କୁହନ୍ତି ପ୍ରମୁଖ କୋଠସୁଆଁସିଆ ସେବକ ଜଗନ୍ନାଥ ରାଉତ ।

ରଥରେ କନା ଲାଗିଲା ପରେ ସେଥିରେ କଦଳୀ ଗଛ ଆଦି ଲାଗିବ । ଚିତ୍ରକର ସେବକମାନେ ଅଶ୍ୱ ଓ ସାରଥିଙ୍କ ରଙ୍ଗ କାର୍ଯ୍ୟ ସାରିଛନ୍ତି । କମାର ସେବକମାନେ ରଥରେ କନା ପକା କାର୍ଯ୍ୟ ପାଇଁ ହାତୁଡ଼ି ଓ ଛୁରି ଆଦି ସାମଗ୍ରୀ ତିଆରି ଦେଇଛନ୍ତି । ସେହିଭଳି ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ଦର୍ଜୀ ସେବକଙ୍କ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷରେ ରଥରେ ପଟା ପଡ଼ି ଚକା ରଖାଯିବ । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ବସିବେ ।