ଭୁବନେଶ୍ୱର, ୨୭।୨: ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବାରେ ସହଯୋଗ କରୁଥିବା ‘ରାହତବୀର’ ଙ୍କ ସହାୟତା ରାଶି ବୃଦ୍ଧି ପାଇଲା । ରାଜ୍ୟ ସରକାର ସେମାନଙ୍କ ସହାୟତା ରାଶି ୫ ହଜାରରୁ ଟଙ୍କାରୁ ୨୫ ହଜାର ଟଙ୍କା କରିଛନ୍ତି । ରାହତବୀରଙ୍କୁ ଯଥାଶୀଘ୍ର ସହୟତା ରାଶି ପ୍ରଦାନ ଲାଗି ପ୍ରତି ଜିଲ୍ଲାରେ ‘ପ୍ରତିକାର ଅଧିକାରୀ’ ନିଯୁକ୍ତ ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏହି ଅଫିସରଙ୍କୁ ନିଯୁକ୍ତ କରିବେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପିଏମ୍-ରାହତ ଯୋଜନାରେ ଏହି ଅର୍ଥରାଶି ମିଳିବ । ଦୁର୍ଘଟଣାରେ ଆହତଙ୍କୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ପଞ୍ଜିକୃତ ହସ୍ପିଟାଲ ସଂଖ୍ୟା ୭୭୩କୁ ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଭିସିରେ କରାଯାଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟରେ ୨୦୨୫ ମସିହାରେ ୧୨ ହଜାର ୫୦୦ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ସେଥିରେ ୬ହଜାର ୩୦୦ ଜଣଙ୍କ ଜୀବନ ଯାଇଥିଲା । 

ଏହା ବି ପଢ଼ନ୍ତୁ... ଖରା ବଢ଼ିବା ସହ ବଢ଼ିଲା ବନାଗ୍ନି, ଦିନକରେ ୨୨୨ଟି ସ୍ଥାନରେ ଜଙ୍ଗଲ ନିଆଁ ଠାବ

‘ରାହତବୀର’ ଙ୍କ ସହାୟତା ରାଶି ବଢ଼ିବା ଫଳରେ ଦୁର୍ଘଟଣାରେ ଆହତଙ୍କ ସହାୟତା ସଂଖ୍ୟା ବଢ଼ିବ । ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଞ୍ଚାଇବା କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନିଆଯାଇପାରିବ । ୨୦୨୬ରେ ମୃତ୍ୟୁ ସଂଖ୍ୟା କମିବା ନେଇ ଆଶା କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ତୁରନ୍ତ ପହଞ୍ଚାଇବା ଲାଗି ସରକାରଙ୍କ ପକ୍ଷରୁ ‘୧୦୨’ ଟ୍ରୋଲ୍ ଫି ନମ୍ବର ଜାରି କରାଯାଇଛି । ଅନ୍ୟପଟରେ ରାଜ୍ୟରେ ଦୁର୍ଘଟଣାଗସ୍ତ ଆହତଙ୍କୁ ୪୮ ଘଣ୍ଟା ନୁହେଁ ୭ ଦିନ ପାଇଁ ମାଗଣା ଚିକିତ୍ସା ମିଳିବ । ‘ପ୍ରଧାନମନ୍ତ୍ରୀ ରାହତ ଯୋଜନା’ ରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ମାଗଣା ସେବା ମଳିବ । ଆହତଙ୍କୁ ଗୋଲ୍ଡେନ୍ ଆୱାର ଭିତରେ ଚିକିତ୍ସା ମିଳିବା ପାଇଁ ଅଧିକରୁ ଅଧିକ ରାହାତବୀର ସାମିଲ ହେବା ପାଇଁ ଗୁରୁତ୍ୱ ଦିଆଯାଇଛି । ସରକାରୀ ହସ୍ପିଟାଲ ବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲ୍ରେ ଆହତଙ୍କୁ ଚିକିତ୍ସା ମିଳିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଖୁବ୍ଶୀଘ୍ର ରାଜ୍ୟ ସରକାର ଏହାକୁ ଆରମ୍ଭ କରିବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରୁଛନ୍ତି । ଆହତ ତୁରନ୍ତ ଚିକିତ୍ସା ପାଇବା ଫଳରେ ଜୀବନ ରକ୍ଷା ପାଇପାରିବ । ରାଜ୍ୟରେ ମୃତ୍ୟୁ ସଂଖ୍ୟା କମି କମିବ ବୋଲି ଆଶା କରାଯାଉଛି ।