କେନ୍ଦୁଝର ସଦର,୨୯/୧୨ : ବଢ଼ୁଛି କ୍ରେଜ୍, ଜମୁଛି ଭିଡ଼ । ଖଚାଖଚ୍ ଦର୍ଶକଙ୍କ ଭିଡ଼ ଭିତରେ ଜାରି ରହିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୁଳିରେ ଚାଲିଥିବା ୨୫ତମ ଅଲ୍ ଇଣ୍ଡିଆ ପ୍ରିମିୟର ଲିଗ୍। ନେତାଜୀ ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ସପ୍ତମ ଦିନରେ ପହଞ୍ଚିଛି। ସପ୍ତମ ଦିନରେ ମହାକାଳ ଏକାଦଶ ଓଡ଼ିଶା ଏବଂ ରାଧାକୃଷ୍ଣ ଏକାଦଶ, କଇଁଶୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ମହାକାଳ ଏକାଦଶ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୧୩ ଓଭର ୨ଟି ବଲରେ ୧୧୭ ରନରେ କରିବାରେ ସକ୍ଷମ ହୋଇଥିଲା। ନିର୍ଦ୍ଧାରିତ ୧୫ ଓଭରରେ ୧୧୮ ରନର ବିଜୟ ଲକ୍ଷ୍ୟ ରହିଥିବା ବେଳେ ୯ ଓ୍ବିକେଟ ବିନିମୟରେ ୧୧୩ କରି ପାରିଥିଲା। ଏହି ମ୍ୟାଚଟି ମହାକାଳ ଏକାଦଶ ଓଡ଼ିଶା ୫ ରନରେ ବିଜୟୀ ହୋଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ଅନୁରାଗ ମିଶ୍ର ୩ ଓଭର ବୋଲିଂ କରି ମାତ୍ର ୫ ରନ ଦେଇ ୩ ୱିକେଟ୍ ଅକ୍ତିଆର କରି ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ବିଜେପି ରାଇକଳା ପଞ୍ଚାୟତ ଶକ୍ତି କେନ୍ଦ୍ର ପ୍ରମୁଖ ଭରତ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଛନ୍ତି। ନେତାଜୀ ୟୁଥ୍ ଆସୋସିଏସନ୍ ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଖେଳ ପ୍ରଦର୍ଶନ ଜାରୀ ରହିଥିବା ବେଳେ କମିଟିର କେଦାରନାଥ ମହାନ୍ତ, ସୁବାଷ ଚନ୍ଦ୍ର ମହାନ୍ତ, କୃଷ୍ଣ ମୁଦି , ବିଦ୍ୟାଧର ଆରୁକ, ବିରଞ୍ଚି ସର୍ଦ୍ଦାର ବଲ୍ଲଭ ଆରୁକ, ଜୁହାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳରେ ସହଯୋଗ କରୁଛନ୍ତି।