ନୂଆଦିଲ୍ଲୀ,୧୯।୧୧: ଦେଶର ସମ୍ବିଧାନିକ ସଂସ୍ଥା ଉପରେ ଲଗାତାର ଅଭିଯୋଗ କରି ଚାଲିଛନ୍ତି ରାହୁଲ ଗାନ୍ଧୀ। ପ୍ରଥମେ ସେନା, ତା ପରେ ନ୍ୟାୟପାଳିକା ଏବଂ ଏବେ ନିର୍ବାଚନ କମିଶନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିହାର ବିଧାନସଭା ନିର୍ବାଚନ ପରେ ସେ କହିଛନ୍ତି, ବିଜେପି ସହ ମିଶି ଇସି ଭୋଟ ଚୋରି କରିଛନ୍ତି। ଏହାକୁ ନେଇ ରାହୁଲଙ୍କୁ ଓପନ ଲେଟର ଲେଖିଛନ୍ତି ୨୭୨ଜଣ ପୂର୍ବତନ ବିଚାରପତି ଏବଂ ପ୍ରଶାସନିକ ଅଧିକାରୀ। ସେ କହିଛନ୍ତି, ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ରାହୁଲ ଲୋକତନ୍ତ୍ର କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭାରତର ପୂର୍ବତନ ବିଚାରପତି ଏବଂ ପ୍ରଶାନସିକ ଅଧିକାରୀଙ୍କ ପକ୍ଷରୁ ଖୋଲା ଚିଠି। ୨୭୨ରୁ ଅଧିକ ସଦସ୍ୟ ଥିବା ଏକ ଗୋଷ୍ଠୀ ଏହି ଚିଠି ଲେଖିଛନ୍ତି। ଏଥିରେ ରହିଛନ୍ତି ୧୬ ଜଣ ପୂର୍ବତନ ବିଚାରପତି, ୧୨୩ ରିଟାୟର୍ଡ ପ୍ରଶାସନିକ ଅଧିକାରୀ,ଯାହାଙ୍କ ଭିତରେ ୧୪ ଜଣ ପୂର୍ବତନ ରାଷ୍ଟ୍ରଦୂତ ମଧ୍ୟ ଅଛନ୍ତି। ତାଙ୍କ ସହ ୧୩୩ ଜଣ ଅବସରପ୍ରାପ୍ତ ସାମରିକ ଅଧିକାରୀ ମଧ୍ୟ ରହିଛନ୍ତି। ରାହୁଲଙ୍କୁ ଦେଇଥିବା ଓପନ ଲେଟରର ଶୀର୍ଷକ ରହିଛି ‘ଜାତୀୟ ସମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ। ଚିଠିରେ ଲେଖା ଅଛି ଆମେ ‘ସିଭିଲ ସୋସାଇଟିର ବରିଷ୍ଠ ନାଗରିକ ଭାରତର ଲୋକତନ୍ତ୍ର ନେଇ ଗଭୀର ଚିନ୍ତା ପ୍ରକାଶ କରୁଛୁ। ଲୋକତନ୍ତ୍ର ଉପରେ ଆକ୍ରମଣ ଏବେ ବନ୍ଧୁକ ବଳରେ ନୁହେଁ, ବଂର ବିଷାକ୍ତ ଶବ୍ଦ ଦ୍ବାରା ହେଉଛି। କିଛି ରାଜନୈତିକ ନେତା ନୀତିଗତ ବିତର୍କ କରିବା ବଦଳରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ରାଜନୈତିକ ହତାଶା ଏବଂ ବାରମ୍ବାର ବିଫଳତାକୁ ଲୁଚାଇବା ପାଇଁ ସାମ୍ବିଧାନିକ ସଂସ୍ଥାକୁ ଟାର୍ଗେଟ କରୁ
ଚିଠିରେ ଲେଖା ଅଛି ପ୍ରଥମେ ରାହୁଲ ଭାରତୀୟ ସେନାର ବୀରତ୍ବ ଓ ସଫଳତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ନ୍ୟାୟପାଳିକାର ନିରପେକ୍ଷତା ଉପରେ ଅଙ୍ଗୁଳି ଉଠାଇଥିଲେ। ସଂସଦ ଓ ଏହାର ସମ୍ବିଧାନିକ ଅଧିକାରକୁ ଟାର୍ଗେଟ କରିଥିଲେ। ଏବେ ସେ ନିର୍ବାଚନ କମିଶନଙ୍କ ବିଶ୍ବାସନୀୟତା ଏବଂ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସୁଚିନ୍ତିତ ଏବଂ ଷଡଯନ୍ତ୍ରମୂଳକ ଆକ୍ରମଣ। ରାହୁଲ କହୁଛନ୍ତି ତାଙ୍କ ପାଖରେ ଠୋସ୍ ପ୍ରାଣ ଅଛି। ବିଜେପି ସହ ନିର୍ବାଚନ କମିଶନ୍ ଭୋଟ୍ ଚୋରିରେ ସାମିଲ ଅଛନ୍ତି। ସେ ଦାବି କରିଛନ୍ତି, ତାଙ୍କ ପାଖରେ ୧୦୦% ପ୍ରମାଣ ଅଛି। ସେ ଖୁବ୍ ନିମ୍ନ ସ୍ତରର ଭାଷା ବ୍ୟବହାର କରି କହିଥିଲେ, ଯେଉଁ ପ୍ରମାଣ ସେ ଖୋଜିଛନ୍ତି, ତାହା ‘ପରମାଣୁ ବମ୍’। ଯେତେବେଳେ ତାହା ଫାଟିବ ଇସିଙ୍କ ପାଖରେ ଲୁଚିବାର କୌଣସି ସ୍ଥାନ ବାକି ରହିବନି। ରାହୁଲ କହୁଛନ୍ତି ନିର୍ବାଚନ କମିଶନ୍ ଦେଶଦ୍ରୋହ କରୁଛନ୍ତି। ତଳଠାରୁ ନେଇ ଉପର ପର୍ଯ୍ୟନ୍ତ ସମସ୍ତେ ସାମିଲ ଅଛନ୍ତି। କେବଳ ସେତିକି ନୁହେଁ ଏସଆଇଆର ଉପରେ ମଧ୍ୟ ଅଭିଯୋଗ କରିଛନ୍ତି। ଏତେ ଅଭିଯୋଗ ପରେ ବି ରାହୁଲ କୌଣସି ଔପଚାରିକ ଅଭିଯୋଗ କରି ନାହାନ୍ତି। ବିନା ପ୍ରମାଣରେ ଏଭଳି ଗମ୍ଭୀର ଅଭିଯୋଗ ଏବଂ ସରକାରୀ ଅଧିକାରୀଙ୍କୁ ଡରାଇବା-ଧମକାଇବା ସମ୍ପୂର୍ଣ୍ଣ ଭୁଲ୍।’