ନୂଆଦିଲ୍ଲୀ,୧୪/୦୫; ଆଗାମୀ ଫିଫା ବିଶ୍ୱକପ୍ ପାଇଁ ଆର୍ଜେଣ୍ଟିନାର ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ବିଶ୍ୱ ପ୍ରସିଦ୍ଧ ଷ୍ଟ୍ରାଇକର ୩୮ବର୍ଷିୟ ଲିଓନେଲ ମେସିଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ସେ ନେତୃତ୍ୱ ନେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ମେସି କ୍ୟାରିୟର୍ର ଷଷ୍ଠ ବିଶ୍ୱକପ୍ ଖେଲିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ମେସି ୧୨ଟି ମ୍ୟାଚ ଖେଳି ସର୍ବାଧିକ ୮ଟି ଗୋଲ୍ ସ୍କୋର କରିଥିଲେ । ଫିଫା ଦ୍ୱାରା ୬ଟି ମ୍ୟାଚ ନିଲମ୍ବିତ ହୋଇଥିବା ଗିଆନଲୁକା ପ୍ରେଷ୍ଟିଆନିଙ୍କୁ ଦଳରେ ସୁଯୋଗ ମିଳିଛି । ସେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଲେ ପ୍ରଥମ ୨ଟି ମ୍ୟାଚ ଖେଳି ପାରିବେ ନାହିଁ ।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଚାମ୍ପିଅନ୍ସ ଲିଗ୍ ମ୍ୟାଚରେ ବେନଫିକା ପକ୍ଷରୁ ଖେଳୁଥିବା ପ୍ରେଷ୍ଟିଆନି ମୁହଁରେ ଜର୍ସି ଘୋଡ଼ାଇ ରିୟଲ ମାଦ୍ରିଦ ଫରୱାଡ୍ର୍ ବ୍ରାଜିଲର ଭିନିସିୟସ ଜୁନିୟରଙ୍କୁ କିଛି କହିଥିଲେ । ତାଙ୍କ ବିପକ୍ଷରେ ଜାତିଗତ ଆକ୍ଷେପ କରିଥିବା ଭିନିସିୟସ ଜୁନିୟର ଅଭିଯୋଗ କରିଥିଲେ । ପ୍ରେଷ୍ଟିଆନିଙ୍କୁ ସଙ୍ଗେ ସଙ୍ଗେ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଥିଲା । ୟୁଇଏଫଏ ଏହି ଘଟଣାର ତଦନ୍ତ କରିବା ପରେ ପ୍ରେଷ୍ଟିଆନି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳ ସ୍ୱରୂପ ତାଙ୍କୁ ମୋଟ୍ ୬ଟି ମ୍ୟାଚରୁ ବାସନ୍ଦ କରାଯାଇଥିଲା ।
ଫିଫା ଶୃଙ୍ଖଳା କମିଟି ଏହି ଘଟଣାର ପୁନଃ ବିଚାର କରି ପ୍ରେଷ୍ଟିଆନିଙ୍କ ବିପକ୍ଷରେ ୟୁଇଏଫଲ ଲାଗୁ କରିଥିବା ବାସନ୍ଦାଦେଶକୁ ଅନ୍ତର୍ଜାତୀୟ ଫୁଟବଲ୍ରେ ସାମିଲ କରିଛି । ୨୦୨୨ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟ ରହିଥିବା ଜୁଲିଆନ ଆଲଭାରେଜ ଓ ଲୌଟରୋ ମାର୍ଟିନେଜ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଏମାନଙ୍କ ବ୍ୟତୀତ କ୍ରିଷ୍ଟିଆନ ରୋମେରୋ, ଆଲିଜାନ୍ଦ୍ରୋ ଗାର୍ନାଚୋ, ନିକୋ ପାଜ, ଜାଏଦ ରୋମେରୋ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି । ଗ୍ରୁପ୍ ଜେ’ରେ ସ୍ଥାନ ପାଇଥିବା ଆର୍ଜେଣ୍ଟିନା ଜୁନ ୧୬ ତାରିଖରେ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ ଆଲଜେରିଆକୁ ଭେଟିବ । ଏହାପରେ ଅଷ୍ଟ୍ରିୟା ଓ ଜୋର୍ଡାନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଏହା ବି ପଢନ୍ତୁ...ODI Tri-Series: ଭାରତୀୟ ଦଳ ଘୋଷଣା, ତିଲକ୍ ବର୍ମା ଅଧିନାୟକ ଏବଂ ରିୟାନ ପରାଗ ଉପ-ଅଧିନାୟକ
କୋଚଙ୍କ ସ୍ପଷ୍ଟୋକ୍ତି: ଫିଟ୍ ରହିଲେ ଖେଳିବେ ନେୟମାର- ଫିଫା ବିଶ୍ୱକପ ପାଇଁ ବ୍ରାଜିଲର ମୁଖ୍ୟ କୋଚ କାର୍ଲୋ ଆଞ୍ଚେଲୋଟି ଏକ ୫୫ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଥିବାବେଳେ ଏହି ଦଳରେ ଷ୍ଟାର ଖେଳାଳି ନେୟମାରଙ୍କୁ ସ୍ଥାନ ଦେଇଛନ୍ତି । ତେବେ ଚୂଡ଼ାନ୍ତ ଦଳରେ ସେ ସ୍ଥାନ ପାଇବା ଏପର୍ଯ୍ୟନ୍ତ ନିଶ୍ଚିତ ନଥିବା କୋଚ ସ୍ପଷ୍ଟ କରି ଦେଇଛନ୍ତି । ସେ କହିଛନ୍ତି, ନେୟମାରଙ୍କ ଫିଟ୍ନେସ୍ରେ ଉନ୍ନତି ହୋଇଥିବା ମୁଁ ଅନୁଭବ କରୁଛି । ସେ ବର୍ତ୍ତମାନ ନିୟମିତ ଭାବେ ଖେଳ ଜାରି ରଖିଛନ୍ତି । ତଥାପି ମୁଁ ତାଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ଦେବା ନେଇ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରି ନାହିଁ । ନେୟମାରଙ୍କ ଭଳି ବିଶ୍ୱ ପ୍ରସିଦ୍ଧ ଖେଳାଳି ଦଳରେ ରହିବା ଜରୁରି । କିନ୍ତୁ ତାଙ୍କୁ ଶତ ପ୍ରତିଶତ ଫିଟ୍ ହୋଇ ଫେରିବାକୁ ପଡ଼ିବ । କେବଳ ଭାବ ବିହ୍ୱଳ ହୋଇ ତାଙ୍କୁ ଖେଳାଇବା ଉପଯୁକ୍ତ ନିଷ୍ପତ୍ତି ହେବ ନାହିଁ । ମୁଁ ଆଶା କରୁଛି, ସେ ପୂର୍ଣ୍ଣ ୯୦ ମିନିଟ୍ ଖେଳି ପାରିବା ଭଳି ମ୍ୟାଚ ଫିଟନେସ୍ ସହ ଦଳକୁ ଫେରିବେ । ସୂଚନାଯୋଗ୍ୟ, ନେୟମାର ବ୍ରାଜିଲ ପକ୍ଷରୁ ୭୯ଟି ଗୋଲ୍ ସ୍କୋର କରିସାରିଛନ୍ତି । ପେଲେଙ୍କ ଅନ୍ତର୍ଜାତୀୟ ଗୋଲ ରେକର୍ଡ ଠାରୁ ସେ ୨ଟି ଅଧିକ ଗୋଲ୍ କରିଛନ୍ତି ।