ଫିରିଙ୍ଗିଆ, ୨୯।୭ : ଗଞ୍ଜେଇ ଚୋରା  ଚାଲାଣ ବେଳେ ଫିରିଙ୍ଗିଆ ପୁଲିସ ଚଢାଉ କରି ୧୨୦ କେଜି ଗଞ୍ଜେଇ ସହ କାର ଓ ଅଟୋ ଜବତ କରିଛି। ଏଥିସହ ୩  ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ଗେରୁପଡା ଗାଁର ଶ୍ରୀକାନ୍ତ କୁମାର ନାୟକ, କେଲାପଡ଼ା ଗାଁର ସିଦ୍ଧାର୍ଥ ଦିଗାଲ,  ଫୁଲବାଣୀ ଟାଉନ ଥାନା ନୂଆଁ ସାହିର କାହ୍ନୁ ଦିଗାଲ।

ଗଞ୍ଜେଇ   ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଫିରିଙ୍ଗିଆ ଥାନାକୁ ସୂଚନା ମିଳିଥିଲା  ।  ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଏସଆଇ ଦୀପକ ରାଉତ, ଏଏସଆଇ ଶ୍ରୀକାନ୍ତ ପାତ୍ର ଏବଂ ଏକ ଟିମ ମାଶ୍ରୀ ପଡ଼ା ଛକ ନିକଟରେ ପାଟ୍ରୋଲିଂ କରିଥିଲେ l କେଳାପଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଓ ଗୋଟିଏ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ । ଉଭୟ କାର ଏବଂ ଅଟୋରୁ ଗଞ୍ଜେଇ ମିଳିଥିଲା।   ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା। ମୋଟ  ୧୨୦ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା। ଅନ୍ୟପଟେ ଏହି ଗଞ୍ଜେଇ ଚାଲାଣ ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି।  ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରିବା ସହ ୩ ଜଣ ଚାଲାଣକାରୀଙ୍କୁ  ପୁଲିସ କୋର୍ଟ ଚାଲାଣ କରିଛି।