ଧରାକୋଟ, ୧୯/୦୩:ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା । ୧୩ ଜଣଙ୍କୁ ଅଟକ ରଖିବା ସହ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଏସପି । ଅନ୍ୟପଟେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଗତକାଲିର ଗଣ୍ଡଗୋଳ ଘଟଣାରେ ଉଭୟ ପକ୍ଷ ଦ୍ଵାରା ବ୍ୟବହୃତ ରକ୍ତ ଭିଜା ଖୁଣ୍ଟ, ଶିଳପଥର,ପାଞ୍ଚ ହଳ ଚପଲ, କାତି ଜବତ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ- ପିଲା ଅସୁସ୍ଥ ହେଲେ ଚିନ୍ତା ବଢୁଛି, ୬୩% ଶିଶୁ ବିଶେଷଜ୍ଞ ପଦବି ଖାଲି
ସୂଚନା ମୁତାବକ, ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ବଡଗଡ଼ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ହଣାକଟାରେ ଖଦାଳ ବେହେରା,ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା । ତିନି ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ଅନ୍ୟପଟେ ଆଜି ଗଞ୍ଜାମ ଏସ ପି ଶୁଭେନ୍ଦୁ ପାତ୍ର,ଭଞ୍ଜନଗର ଅତିରିକ୍ତ ଏସ ପି ରଞ୍ଜନ ଦେ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ ଜେନା,ବଡଗଡ ଥାନା ଅଧିକାରୀ ସନ୍ତୋଷ ବେହେରା, ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗଞ୍ଜାମ ଏସ ପି ଶୁଭେନ୍ଦୁ ପାତ୍ର ପ୍ରତିକ୍ରିୟାରେ ୧୩ ଜଣ ଅଟକ ଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି । ଏଥିସହ ପୀଡ଼ିତ ପରିବାରକୁ ସୁରକ୍ଷା ଦିଆଯିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ରହିଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି। ସଂପ୍ରତି ଗାଁରେ ଜନ ଶୂନ୍ୟ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।