ନୂଆଦିଲ୍ଲୀ, ୨୯।୮: ବିହାର ନିର୍ବାଚନ ପୂର୍ବରୁ SIRକୁ ନେଇ ରାଜନୀତି ତେଜୁଛି । ଏହା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭୋଟର ତାଲିକାରେ ବଡ଼ ଧରଣର ଗଡ଼ବଡ଼ ଦେଖିବାକୁ ମିଳିଛି । ବୈଧ ପ୍ରମାଣପତ୍ର ପ୍ରମାଣପତ୍ର ନଥିବା ୩ ଲକ୍ଷ ଭୋଟରଙ୍କୁ ନୋଟିସ୍ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । 

ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ କେସ୍‌ରେ ପଡୋଶୀ ଦେଶ ବାଂଲାଦେଶ ଏବଂ ନେପାଳ ସମେତ ମିଆଁମାର ଏବଂ ଆଫଗାନିସ୍ତାନର କେତେକ ନାଗରିକଙ୍କ ପାଖରେ ଭାରତୀୟ ଭୋଟର ପରିଚୟପତ୍ର ରହିଥିବା ଜଣାପଡ଼ିଛି । ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ (ERO) ଦ୍ୱାରା ହୋଇଥିବା  ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଭୋଟରଙ୍କ ପାଖରେ ବୈଧ ପ୍ରମାଣପତ୍ର ନଥିଲା । ଏନେଇ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।  

"ଅଗଷ୍ଟ ୧ ରୁ ୩୦ ତାରିଖ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ ଏବଂ ସେପ୍ଟେମ୍ବର ୩୦ ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକାରୁ ଅଯୋଗ୍ୟ ନାମଗୁଡ଼ିକୁ ବାଦ୍ ଦିଆଯିବ," ବୋଲି ନିର୍ବାଚନ ଆୟୋଗ କହିଛି। "ବିହାରରେ ଏସ୍‌ଆଇଆର ପାଇଁ ଗୃହ ପରିଦର୍ଶନ ସମୟରେ, ବିଏଲ୍‌ଓ ଦ୍ୱାରା ନେପାଳ, ବାଂଲାଦେଶ ଏବଂ ମିଆଁମାରର ବହୁ ସଂଖ୍ୟକ ଲୋକ ଧରାପଡ଼ିଛନ୍ତି । ସେମାନଙ୍କ ଆଧାର, ବାସସ୍ଥାନ ପ୍ରମାଣପତ୍ର, ରାସନ କାର୍ଡ ଓ ଡକ୍ୟୁମେଣ୍ଟ ସଂଗ୍ରହ କରଯାଇଛି ।

ପରବର୍ତ୍ତୀ ସମୟରେ ସେମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା । ପ୍ରତ୍ୟେକ ଭୋଟରଙ୍କୁ ୭ ଦିନ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ରେକର୍ଡ ସ୍ପଷ୍ଟ କିମ୍ବା ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ଆୟୋଗ ନିଶ୍ଚିତ କରିଛି ଯେ, ଗୁରୁବାର ସୁଦ୍ଧା ଡ୍ରାଫ୍ଟ ତାଲିକାରୁ ନାଁ ଅନ୍ତର୍ଭୁକ୍ତ କିମ୍ବା ବାଦ୍ ଦେବା ପାଇଁ ବ୍ୟକ୍ତିଗତ ଭୋଟରଙ୍କଠାରୁ ମୋଟ୍ ୧ ଲକ୍ଷ ୯୫ ହଜାର ୮୦୨ ଆବେଦନ ମିଳିଛି । ଏଥିମଧ୍ୟରୁ ୨୪ ହଜାର ୯୯୧ ଆବେଦନ ଇଆର୍‌ଓ ଦ୍ୱାରା ପୂର୍ବରୁ ସମାଧାନ କରାଯାଇଛି । ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୧ ତାରିଖରେ ପ୍ରକାଶିତ ହୋଇଥିଲା ଏବଂ ଜୁନ୍ ୨୪ ତାରିଖରେ ଏସ୍‌ଆଇଆର କାର୍ଯ୍ୟ ଆରମ୍ଭ କରିଥିଲା । ନିର୍ବାଚନ ସଂସ୍ଥା ଅନୁଯାୟୀ, ବିହାରର ୭.୨୪ କୋଟି ଭୋଟରଙ୍କ ମଧ୍ୟରୁ ୯୯.୧୧ ପ୍ରତିଶତଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇସାରିଛି । ଜୁନ୍ ୨୪ ରୁ ଅଗଷ୍ଟ ୨୪ ମଧ୍ୟରେ ପ୍ରାୟ ୯୮.୨ ପ୍ରତିଶତ ଭୋଟର ସେମାନଙ୍କର ଡକ୍ୟୁମେଣ୍ଟ ଦାଖଲ କରିଥିଲେ ।