ପ୍ରମୂଖ ଖବର
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ସାମ୍ନାକୁ ଆସିଲା ନୂଆ ତଥ୍ୟ, ଘନ ଜଙ୍ଗଲରେ ୨୨ ଘଣ୍ଟା ଚାଲି ପହଲଗାମ୍‌ ପହଞ୍ଚିଥିଲେ ଆତଙ୍କୀ

Published By : Prameya | April 28, 2025 12:10 PM

ନୂଆଦିଲ୍ଲୀ ୨୮/୦୪: ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣାର ତଦନ୍ତରୁ ଏବେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ସେ ଅନୁସାରେ, ଆତଙ୍କୀମାନେ ଆକ୍ରମଣ ଲାଗି ବିସ୍ତୃତ ଯୋଜନା କରିଥିଲେ । ସେହି ଯୋଜନାକୁ ରୂପରେଖ ଦେବାକୁ କୋକେରନାଗର ଘନ ଜଙ୍ଗଲ ଦେଇ ୨୦-୨୨ ଘଣ୍ଟା ଧରି ଚାଲି ବୈସରନ୍‌ ଘାଟି ପହଞ୍ଚିଥିଲେ ସେମାନେ । ଏହି ସମୟରେ ଆତଙ୍କୀମାନେ କାହାର ନଜରରେ ପଡି଼ନଥିଲେ ।

ତଦନ୍ତରୁ ଜଣାପଡ଼ିଛି ଯେ, ହମ୍‌ଲା ସମୟରେ ସେମାନେ ଜଣେ ସ୍ଥାନୀୟ ବାସିନ୍ଦା ଓ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ନିକଟରୁ ୨ଟି ମୋବାଇଲ୍‌ ଛଡ଼ାଇ ନେଇଥିଲେ । ମୋଟ ୪ଜଣ ଆତଙ୍କୀ ଏହି ଜଘନ୍ୟ କାଣ୍ଡରେ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଆତଙ୍କୀ ହୋଇଥିବାବେଳେ ଜଣେ ହେଉଛି ସ୍ଥାନୀୟ ଆତଙ୍କୀ ଆଦିଲ ଥୋକର । ଥୋକର ୨୦୧୮ରେ ବୈଧ ଦସ୍ତାବିଜରେ ପାକିସ୍ତାନ ଯାଇ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ସେ ସେଠାରେ କଠୋର ଯୁଦ୍ଧାଭ୍ୟାସ ଲାଗି ତାଲିମ ନେଇଥିଲା । ଗତବର୍ଷ କାଶ୍ମୀରକୁ ଫେରିବା ପରେ ପାକିସ୍ତାନୀ ଆତଙ୍କୀଙ୍କୁ ସକ୍ରିୟ ଭାବେ ସହାୟତା କରିଆସୁଛି । ପହଲଗାମ୍‌ ଆକ୍ରମଣ ଲାଗି ଜିନିଷପତ୍ର ଯୋଗାଇବା ସହିତ ସେଠାକାର ଦୁର୍ଗମ ଅଞ୍ଚଳ ଲାଗି ସେ ଆତଙ୍କୀଙ୍କ ଗାଇଡ୍‌ ସାଜିଥିଲା ।

ସେହିପରି ଆତଙ୍କୀମାନେ ନରସଂହାର ଲାଗି ଆଧୁନିକ ଏକେ-୪୭ ଓ ଏମ୍‌-୪ ଆସଲ୍ଟ ରାଇଫଲ ବ୍ୟବହାର କରିଥିଲେ ବୋଲି ଫରେନସିକ ବିଶ୍ଳେଷଣରୁ ଜଣାପଡ଼ିଛି । ତାର କାର୍ତ୍ତୁସ୍‌କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ମନେ କରାଯାଉଛି । ଇତିମଧ୍ୟରେ ଏହି ଘଟଣାରେ ଜଣେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ସାମ୍ନାକୁ ଆସିଛନ୍ତି । ସେହି ସ୍ଥାନୀୟ ଫଟୋଗ୍ରାଫରଜଣକ ଆତଙ୍କୀ ଆକ୍ରମଣ ସମୟରେ ନିଜର ଜୀବନ ବଞ୍ଚାଇବାକୁ ଏକ ଗଛ ଉପରେ ଚଢ଼ିଯାଇଥିଲେ । 

ପରବର୍ତ୍ତୀ ସମୟରେ ସେଠାରେ ବସି ପୂରା ହମ୍‌ଲାର ଭିଡିଓ ରେକର୍ଡ କରିବାରେ ସଫଳ ହୋଇଥିଲେ । ତାଙ୍କର ଭିଡିଓଗୁଡ଼ିକ ତଦନ୍ତଲାଗି ମହତ୍ତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି । ସେହି ଭିଡିଓ ଜରିଆରେ ତଦନ୍ତକାରୀମାନେ ଏବେ ଆକ୍ରମଣର ଟାଇମ୍‌ଲାଇନ୍‌କୁ ଠିକ୍‌ ଭାବେ ବୁଝିପାରିବେ । ଏଥିସହ ଭିଡିଓରୁ ଆତଙ୍କୀଙ୍କୁ ଚିହ୍ନଟ କରିବାରେ ମଧ୍ୟ ସହାୟତା ମିଳିବାର ଆଶା ରହିଛି । ତାଙ୍କ ସହିତ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ତଦନ୍ତ ଲାଗି ଗୁରୁତ୍ୱପୂର୍ଣ୍ଣ ପାଲଟିଛନ୍ତି । ସେ ହେଲେ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ । ସେ ଜମ୍ମୁ-କାଶ୍ମୀରରେ କର୍ତ୍ତବ୍ୟରତ ଥିବାବେଳେ ନିଜ ପରିବାର ସହିତ ବୈସରନ୍‌ ଘାଟିରେ ଛୁଟି କାଟୁଥିଲେ । ଘଟଣାକୁ ନେଇ ସେ ସୁରକ୍ଷା ଏଜେନ୍ସିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି । ଗତ ୨୨ରେ ପହଲଗାମ୍‌ର ବୈସରନ୍‌ ଘାଟିରେ ଘଟିଥିବା ଏହି ଆତଙ୍କୀ ଆକ୍ରମଣର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) କରୁଛି । ଆତଙ୍କୀମାନଙ୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ଲୋକଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.