କେନ୍ଦ୍ରାପଡ଼ା,୧୯/୩: ଗ୍ରୀଷ୍ମ ପ୍ରକୋପ ଆରମ୍ଭ ନହେଉଣୁ ବିଭିନ୍ନ ସ୍ଥାନରୁ ଜଳକଷ୍ଟ ନେଇ ଅଭିଯୋଗ ଆସିଲାଣି । ବସୁଧା ଓ ଜଲ୍‌ ଜୀବନ ମିଶନ୍‌ ଅଧୀନ ବଡ଼ ବଡ଼ ପ୍ରକଳ୍ପ ଧାର୍ଯ୍ୟ ସମୟ ଗଡ଼ିଯାଇଥିଲେ ମଧ୍ୟ କାମ ଶେଷ ହୋଇ ପାରୁନାହିଁ । ଯେଉଁଠି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି, ସେଠାରେ ବିଭିନ୍ନ କାରଣରୁ ନିରବଚ୍ଛିନ୍ନ ସେବା ମିଳୁନାହିଁ । ଗଭୀର ବୋରିଂ ଜରିଆରେ ପାଇପ୍‌ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ଥିଲେ ବି ନିୟମିତ ବେଆଇନ ସଂଯୋଗ, ଲୋଭୋଲ୍‌ଟେଜ୍‌ ସମାସ୍ୟା, ରକ୍ଷଣାବେକ୍ଷଣ ଅଭାବରୁ ସେବା ପ୍ରଭାବିତ ହୋଇଛି । ସେଥିରେ ପୁଣି ଜିଲ୍ଲାରେ ଅର୍ଦ୍ଧାଧିକ ବ୍ଲକ୍‌ରେ କ୍ରମବର୍ଦ୍ଧିତ ଭୂତଳ ଜଳସ୍ତର ହ୍ରାସ ବିପଦ ଡାକିଆଣିଛି । ପୁଣି କେଉଁଠାରେ ନଳକୂଅ ଅଚଳ ହୋଇପଡ଼ିଲାଣି । କେତେକ ସ୍ଥାନରେ ନଳକୂଅଗୁଡ଼ିକରୁ ଲବଣାକ୍ତ ଓ ଲୌହ ମିଶା ପାଣି ବାହାରୁଥିବାରୁ ଲୋକଙ୍କ କାମରେ ଲାଗିପାରୁନି । 

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ସାମ୍‌ନାକୁ ଆସିଛି । ମହାକାଳପଡ଼ା ବ୍ଲକ୍‌ର ୨ଟି ପଞ୍ଚାୟତ ମଙ୍ଗଳପୁର ଓ ବରକନ୍ଦାରେ ମିଳୁଥିବା ଜଳ ପିଇବା ଯୋଗ୍ୟ ନଥିବାରୁ ସେଠାରେ ବର୍ଷ ତମାମ୍‌ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସରକାରୀ ରିପୋର୍ଟ ଅନୁସାରେ ଜିଲ୍ଲାରେ ୧୪୭ଟି ଅଚଳ ନଳକୂଅ ଦର୍ଶାଯାଉଥିବା ବେଳେ ବାସ୍ତବ ସଂଖ୍ୟା ତା’ଠାରୁ ଢେର ଅଧିକ । ଦୀର୍ଘଦିନ ନଳକୂଅଗୁଡ଼ିକ ଖରାପ ହୋଇ ରହୁଥିଲେ ମଧ୍ୟ ସେଗୁଡ଼ିକର ମରାମତି ହୋଇପାରୁନାହିଁ । ଇତିମଧ୍ୟରେ ଜିଲ୍ଲାର ୩୦ଟି ଜଳସଂକଟ ଅଞ୍ଚଳ ଚିହ୍ନଟ ହୋଇଛି । ଅନ୍ୟପକ୍ଷେ ଚଳିତ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଓ ଜଳ ସଙ୍କଟ ସମୟ ଉପଯୁକ୍ତ ଭାବେ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । 

ବୈଠକରେ ମହାକାଳପଡ଼ା ବ୍ଲକ୍‌ର କିଛି ପଞ୍ଚାୟତର ଜନସାଧାରଣ ଲୁଣି ପାଣି ପ୍ରଭାବରେ ସୁରକ୍ଷିତ ପିଇବା ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ନଳକୂଅ ଓ ପାଇପ୍‌ ଜଳ ଯୋଗାଣ ଉତ୍ସ ଲୁଣି ପାଣିରେ ପ୍ରଭାବିତ ହୋଇଥିବାରୁ ସ୍ଥାନୀୟ ଲୋକେ ପିଇବା ଓ ରନ୍ଧନ ପାଇଁ ବିଶୁଦ୍ଧ ପାଣି ପାଇବାରେ ଅସୁବିଧା ଭୋଗୁଥିବା କୁହାଯାଇଥିଲା । ଏହି ପରିସ୍ଥିତିକୁ ନଜରରେ ରଖି ନଦୀ ପାଣିକୁ ବିଶୋଧନ ପାଇଁ ୨ଟି ମୋବାଇଲ୍‌ ୱାଟର ଟ୍ରିଟ୍‌ମେଣ୍ଟ ୟୁନିଟ୍‌ ବ୍ୟବହାର କରାଯାଉଛି । ପରିଶୋଧିତ ପାଣିକୁ ଗ୍ରାମଗୁଡ଼ିକରେ ପହଞ୍ଚାଇବା ପାଇଁ ୬ଟି ଟ୍ରାକ୍ଟର ଟ୍ୟାଙ୍କର ନିଯୁକ୍ତ କରାଯାଇଛି । ଏହା ଦ୍ୱାରା ପ୍ରାୟ ୧୬ ହଜାର ୯୪୪ ଜଣ ଲୋକ ସିଧାସଳଖ ଉପକୃତ ହେଉଛନ୍ତି । ଏହା ସହିତ ଜିଲ୍ଲାର ସମସ୍ତ ହ୍ୟାଣ୍ଡ୍‌ପମ୍ପ୍‌, ନଳକୂଅ ଏବଂ ପାଇପ୍‌ ଯୋଗେ ଜଳ ଯୋଗାଣ (ପିଡବ୍ଲୁଏସ) ଯୋଜନାଗୁଡ଼ିକୁ ମୋବାଇଲ୍‌ ଟିମ୍‌ ମାଧ୍ୟମରେ ଯାଞ୍ଚ୍‌ ଓ ମରାମତି କରାଯାଇଛି । ଜିଲ୍ଲାର ୧୭ ହଜାର ୮୦୭ଟି ନଳକୂଅ ମଧ୍ୟରୁ ଆବଶ୍ୟକ ରକ୍ଷଣାବେକ୍ଷଣ କାମ ସମାପ୍ତ କରାଯାଇଛି । ଏହା ସହ ୪୨୫ଟି ପିଡବ୍ଲୁଏସ୍‌, ୬୫ଟି ସୋଲାର ପିଡବ୍ଲୁଏସ୍‌ ଓ ୧୮୭୍‌ଟି ସୋଲାର ଡୁଆଲ୍‌ ପମ୍ପ୍‌ ୟୁନିଟ୍‌କୁ ଯାଞ୍ଚ୍‌ କରି ଆବଶ୍ୟକ ମରାମତି କରାଯାଇଛି । 

ଜଳ ସଙ୍କଟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୧୭ଟି ନୂତନ ନଳକୂଅ ସ୍ଥାପନ ଓ ମୋଟ ୩୦ଟି ଜଳ ସଙ୍କଟ ଅଞ୍ଚଳ ଚିହ୍ନଟ ହୋଇଛି । ଜଳର ଗୁଣବତ୍ତା ବୃଦ୍ଧି ପାଇଁ କେତେକ ନଳକୂଅକୁ ଅଧିକ ଗଭୀର କରାଯାଇଛି । ଗ୍ରୀଷ୍ମରେ ବର୍ଦ୍ଧିତ ଜଳ ଆବଶ୍ୟକତା ପୂରଣ ପାଇଁ ଜଳ ଟ୍ୟାଙ୍କର୍‌ ସେବାକୁ ମଧ୍ୟ ଶକ୍ତିଶାଳୀ କରାଯାଉଛି । ବର୍ତ୍ତମାନ ମହାକାଳପଡ଼ା ବ୍ଲକରେ ୭ଟି ଜଳ ଟ୍ୟାଙ୍କର୍‌ ସହ ୨ଟି ମୋବାଇଲ୍‌ ଟ୍ରିଟ୍‌ମେଣ୍ଟ ୟୁନିଟ୍‌ କାମ କରୁଛି । ଏଥିସହ ଜିଲ୍ଲାର ୯ଟି ବ୍ଲକ୍‌ରେ ୧୨ଟି ମୋବାଇଲ୍‌ ଟିମ୍‌ ନିଯୁକ୍ତ କରାଯାଇଛି । ଆବଶ୍ୟକତା ଅନୁଯାୟୀ ଆହୁରି ଟ୍ୟାଙ୍କର୍‌ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଳ ସଙ୍କଟ ସମସ୍ୟାର ସମାଧାନ ପାଇଁ ସମୟୋପଯୋଗୀ ପଦକ୍ଷେପ, ସଠିକ୍‌ ନିରୀକ୍ଷଣ ଓ ତତ୍ପର କାର୍ଯ୍ୟାନୁଷ୍ଠାନ ଉପରେ ଜୋର୍‌ ଦେଇଥିଲେ । ସେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପାଣି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସଚେତନ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢନ୍ତୁ-ଆଜିଠୁ ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖା, ମେ' ଦ୍ୱିତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ

  କୈଥାପାଳ ଗାଁରେ ୩୦ ପରିବାର ହନ୍ତସନ୍ତ
​​​​​​​ ରାଜକନିକା ବ୍ଲକ୍‌ ପାରିନୂଆପଡ଼ା ହାବଳଗଣ୍ଡ ପଞ୍ଚାୟତ କୈଥାପାଳ ନାୟକ ସାହିରେ ଜଳକଷ୍ଟ ଦେଖିବାକୁ ମିଳିଛି । ପାଣି ଟୋପାଏ ପାଇଁ ୩୦ ପରିବାରର ପ୍ରାୟ ୨୦୦ ଲୋକ ହନ୍ତସନ୍ତ ହେଉଛନ୍ତି । ଏଠାରେ ଥିବା ଦୁଇଟି ନଳକୂଅ ମଧ୍ୟରୁ ଗାଁ ମୁଣ୍ଡରେ ଥିବା ନଳକୂଅ ପାଣିରେ ଲୌହଗୁଣ୍ଡ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପାନୀୟ ଜଳ ରୂପେ ବ୍ୟବହାର କରି ହେଉନାହିଁ । ସକାଳୁ ସକାଳୁ ଏମିତି ପାଣି ବାହାରୁଥିବା ବେଳେ ଦିନବେଳା ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟୁଛି । ଆଉ ଏକ ନଳକୂଅ ନିକଟରେ ରାତି ୩ଟାରୁ ମହିଳାମାନେ ଧାଡ଼ି ବାନ୍ଧି ପାଣି ସଂଗ୍ରହ କରୁଛନ୍ତି । ଗୋଟିଏ ନଳକୂଅ ଲୋକମାନଙ୍କ ଆବଶ୍ୟକତା ପୂରଣ ଦିଗରେ ଯଥେଷ୍ଟ ହେଉ ନଥିବାରୁ ଜଳକଷ୍ଟ ଏଠାରେ ଗୁରୁତର ହୋଇଛି ।

ଚକିତ କଲା ଭଳି ଆଉ ଏକ ଦୃଶ୍ୟ ଲୋକମାନଙ୍କୁ ବ୍ୟଥିତ କରୁଛି । ଏଠାରେ ପାଇପ୍‌ ପାଣି ବ୍ୟବସ୍ଥା ରହିଛି । ୨/୩ଟି ଷ୍ଟାଣ୍ଡ୍‌ପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି । ହେଲେ ସେଥିରେ ପାଣି ଆସୁ ନଥିବାରୁ ଲୋକେ ଚାତକ ଭଳି ଚାହିଁ ବସୁଛନ୍ତି । ପାଇପ୍‌ ପାଣି କିଛି ଦିନ ଆସିବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ହେଲେ ଏବେ ଆଉ ପାଣି ଆସୁନଥିବାରୁ ଲୋକେ ହତାଶ ହୋଇଛନ୍ତି । ଖରା ପ୍ରକୋପରେ ଜଳକଷ୍ଟ ଭୋଗୁଥିବା ଲୋକମାନଙ୍କ ନିମନ୍ତେ ପାଣିର ସୁବିନିଯୋଗ ଓ ଅଚଳ ନଳକୂଅ ସଚଳ କରିବା ସହିତ ପାଇପ୍‌ ପାଣି ପହଞ୍ଚାଇବା ଉପରେ ବିଭାଗ ସଦୟ ଦୃଷ୍ଟି ଦେବାକୁ ପ୍ରଫୁଲ୍ଲ ନାୟକ, ବାଇଧର ରାଉତ, ଅକ୍ଷୟ ନାୟକ, ପ୍ରଦିପ ରାଉତ, ରଞ୍ଜନ ନାୟକ, ଶୁକଦେବ ନାୟକ, ପଦ ନାୟକ ପ୍ରମୁଖ ଦାବି କରିଛନ୍ତି । ସେହିଭଳି ପାଇପ୍‌ ପାଣି ବ୍ୟବସ୍ଥା ସୁଗମ କରିବାକୁ ବିନେଦିନୀ ନାୟକ, ମମତା ନାୟକ, ତଳିମା ନାୟକ, କଳ୍ପନା ନାୟକ, ଲକ୍ଷ୍ମୀପ୍ରିୟା ନାୟକ, ବିଷ୍ଣୁପ୍ରିୟା ନାୟକ, ବନଲତା ନାୟକ, ଆଶାଲତା ନାୟକ, ପ୍ରମିଳା ନାୟକ ପ୍ରମୁଖ ଦାବି ଜଣାଇଛନ୍ତି ।​​​​​​​