କଟକ ୧୯/୦୩: ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୧ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ । ମୂଲ୍ୟାୟନ ପାଇଁ ବିଭିନ୍ନ ବିଷୟର ପ୍ରାୟ ୧୫ ହଜାର ବରିଷ୍ଠ ସବଜେକ୍ଟ ଏକ୍ସପର୍ଟଙ୍କୁ ନିୟୋଜିତ କରିଛି ବୋର୍ଡ । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଛି ତାହା ଗୋପନୀୟ ରଖାଯାଇଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସ୍ଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେଉଛି । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଖାତା ଦେଖା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହିତ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ରହି ପାରିବେ ବୋଲି ବୋର୍ଡ ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ :- ଏପ୍ରିଲ ୧୬ରୁ ରାଜ୍ୟରେ ଘର ଗଣନା; ତାଲିମ ନେଲେ ୬୭ଜଣ ମାଷ୍ଟରଟ୍ରେନର,ଜନଗଣନା ପୂର୍ବରୁ ଆରମ୍ଭ ପ୍ରାକ୍ ପ୍ରସ୍ତୁତି