ଭୁବନେଶ୍ୱର ୦୫/୧୦: ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆବେଦନର ଶେଷ ଓ ଗ୍ରହଣ କରିବାର ତାରିଖକୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ୪ ଅକ୍ଟୋବର, ୨୦୨୫ ସୁଦ୍ଧା ଆଗ୍ରହୀ ପ୍ରଯୋଜକମାନେ ଆବେଦନ ପତ୍ର ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ କପି (ପେନ୍ ଡ୍ରାଇଭ୍)କୁ ରେଜିଷ୍ଟର୍ଡ ପୋଷ୍ଟ/ ସ୍ପିଡ୍ ପୋଷ୍ଟ/ପାର୍ସଲ୍ ମାଧ୍ୟମରେ ବିଭାଗ ନିକଟରେ ଦାଖଲ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶନିବାର ପୁନଃ ବିଜ୍ଞପ୍ତି ପ୍ରକାଶ ସହ ଆବେଦନ ଅବଧି ତାରିଖକୁ ବୃଦ୍ଧି କରିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ।
ସେହିପରି ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ/ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା (ପୁସ୍ତକ/ମୋନୋଗ୍ରାଫ୍) ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ-ଲେଖିକା ଆବେଦନ କରିପାରିବେ । ଏଥିସହିତ ଉକ୍ତ (ପୁସ୍ତକ/ମୋନୋଗ୍ରାଫ୍)ର ଦଶଖଣ୍ଡ ନକଲ ମଧ୍ୟ ୧୬ ଅକ୍ଟୋବର ସୁଦ୍ଧା ରେଜିଷ୍ଟ୍ରର୍ଡ ପୋଷ୍ଟ/ ସ୍ପିଡ୍ ପୋଷ୍ଟ / ପାର୍ସଲ୍ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଦାଖଲ କରିପାରିବେ । ପୁରସ୍କାର ତାଲିକାରେ ଏହି ବର୍ଗଟି ଗତଥରଠୁ ଯୋଡ଼ି ହୋଇଛି । ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକ ୨୦୨୩ ମସିହା ୧ ଜାନୁଆରୀରୁ ୩୧ ଡିସେମ୍ବର ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର (ସେନସର୍ସିପ୍ ସାର୍ଟିଫିକେଟ୍) ପ୍ରାପ୍ତ ହୋଇଥିବା ଆବଶ୍ୟକ ।
୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକ ୨୦୨୪ ମସିହା ୧ ଜାନୁଆରୀରୁ ୩୧ ଡିସେମ୍ବର ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ । ଏ ସମ୍ବନ୍ଧୀୟ ସବିଶେଷ ବିବରଣୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବ୍ସାଇଟ୍ culture.odisha.gov.in ରେ ଉପଲବ୍ଧ ।