ନୂଆଦିଲ୍ଲୀ,୦୬/୧୨; ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ ଆରମ୍ଭ ହୋଇଛି । ବିଶାଖାପଟ୍ଟନମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେଏଲ ରାହୁଲ । ଭ୍ରମଣକାରୀ ସାଉଥ୍ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭାରତ । ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶରେ ୨ଟି ପରବର୍ତ୍ତନ କରି ବାର୍ଟମାନ ଓ ରିଅନ ରିକଲଟନଙ୍କୁ ସାମିଲ କରିଛି । ସେହିପରି ଭାରତ ଏକାଦଶକୁ ୱାଶିଂଟନ ସୁନ୍ଦରଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ବର୍ତ୍ତମାନ ୧-୧ରେ ସିରିଜ ବରାବର ରହିଛି । ତୃତୀୟ ଦିନିକିଆ ଯିଏ ଜିତିବ ତା କବ୍ଜାକୁ ଯିବ ସିରିଜ । ଭାରତୀୟ ଦଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଉଛି । ୨-୦ରେ ଟେଷ୍ଟ ସିରିଜ ମୂଳପୋଛ କରିସାରିଥିବା ଦକ୍ଷିଣ ଆଫ୍ରିକା ଦଳ ଯଦି ଏହି ମ୍ୟାଚ୍ ଜିତିଲେ ଐତିହାସିକ ସଫଳତା ଅର୍ଜନ କରିବ । ଭାରତକୁ ତୃତୀୟ ଦିନିକିଆ ଜିତିବାକୁ ହେଲେ ସବୁ କଳ-କୌଶଳ ଲଗାଇବାକୁ ହେବ । ଶେଷ ଥର ପାଇଁ ପାକିସ୍ତାନ ଦଳ ୧୯୮୬/୮୭ରେ ଭାରତ ଗସ୍ତରେ ଆସି ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ଜିତିଥିଲା ।

​​​​​​​ଭାରତୀୟ ଦଳ ପାଇଁ ସମ୍ମାନ ବଞ୍ଚାଇବାର ସମୟ । ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଦଳଗତ ପ୍ରଦର୍ଶନ ଜରୁରି । ତେଣୁ ଭାରତୀୟ ଦଳ ସବୁ ଶକ୍ତି ଖଟାଇ ବିଜୟ ପାଇଁ ପ୍ରୟାସ କରିବ। ଫଳରେ ବିଶାଖାପଟ୍ଟନମ୍‌ରେ  ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଭାରତୀୟ ଦଳ ଦିନିକିଆରେ ଲଗାତାର ୨୦ଥର ଟସ୍ ହାରିବା ପରେ ଶେଷରେ ଜିତିଛି । ଶେଷ ଥର ପାଇଁ ଗତ ୨୦୨୩ ବିଶ୍ୱକପ ସେମି ଫାଇନାଲ୍‌ରେ ଭାରତ ଟସ୍ ଜିତିଥିଲା । ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଶତକ ଅର୍ଜନ କରିବା ପରେ ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଛି । ତାଙ୍କ ବ୍ୟାଟ୍‌ରୁ ହ୍ୟାଟ୍ରିକ ଶତକ ରେକର୍ଡ ଦେଖିବାକୁ ଦର୍ଶକ ଆଶା ବାନ୍ଧିଛନ୍ତି । ବିଶାଖାପଟ୍ଟନମ୍‌ରେ କୋହଲିଙ୍କ ପ୍ରଦର୍ଶନ ଭଲ ରହିଆସିଛି । ଏଠାରେ ସେ ୪ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ଶତକ ଅର୍ଜନ କରିଛନ୍ତି ।