ସମ୍ବଲପୁର, ୧୮।୮(ବ୍ୟୁରୋ): ପାୱାର କେନାଲ ବଡ଼ସିଂହାରୀରୁ ମିଳିଥିବା ମୃତଦେହ ମାମଲା ଭିନ୍ନମୋଡ ନେଇଛି। ମୃତକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୁଲିସ ଖୁଲସା କରିଛି। ଟଙ୍କା କାରବାର ଓ ପୂର୍ବ ଶତ୍ରୁତାକୁ ନେଇ ଦଲଦଲିପଡ଼ାର ବାବୁ ଯାଦବଙ୍କୁ ହତ୍ୟା କରାଯାଇଛି। ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ଷେତରାଜପୁର ପୁଲିସ। ଅଭିଯୁକ୍ତ ହେଲେ ଦଲଦଲିପଡ଼ାର କରନ ଯୋଶୀ, ଜଗଦୀଶ ରୋହିଦାସ, ଅର୍ଜୁନ ଯୋଶୀ ଏବଂ ସନନ୍ଦ ରୋହିଦାସ୍। ଏମାନଙ୍କୁ ଠାରୁ ଷ୍ଟିଲ ଛୁରୀ, ଲୁହା ରଡ ଏବଂ ବ୍ୟବହୃତ ଗାଡ଼ିକୁ ଜବତ କରାଯାଇଥିବା ସମ୍ବଲପୁର ଏସପି ମୁକେଶ ଭାମୂ ସୂଚନା ଦେଇଛନ୍ତି। 

ଗତ ୯ ତାରିଖରେ ପାୱାର କେନାଲ ବଡ଼ସିଂହାରୀରୁ ଗୋଟିଏଗଳିତ ମୃତଦେହ ମିଳିଥିଲା। ଏନେଇ ବୁର୍ଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବସି ପଡ଼ିଥିଲା। ହେଲେ ଏହାର ୪ ଦିନ ପରେ ୧୩ ତାରିଖରେ କ୍ଷେତରାଜପୁର ଥାନାରେ ଦଲଦଲିପଡ଼ାର ଗଲୁ ଯାଦବ ନାମକ ଯୁବକ ତାଙ୍କ ଭାଇ ୬ ତାରିଖରୁ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ସମ୍ବଲପୁର ପୁଲିସ ଏହି ଖୁଳସା କରିଛି।

 ସୂଚନା ଅନୁସାରେ, ହତ୍ୟାକାଣ୍ଡର ୨୦-୨୫ ଦିନ ପୂର୍ବରୁ ବାବୁ ଅଭିଯୁକ୍ତ କରନ ଯୋଶୀଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେବାରୁ ବାବୁ କରନଙ୍କୁ ବାରମ୍ବାର ହଇରାଣ ଓ ଧମକ ଦେଉଥିଲେ। ଏମିତି କି କରନକୁ ମାଡ଼ ମାରି ହାତ ଭାଙ୍ଗି ଦେଇଥିଲେ। ଏହାର ପ୍ରତିଶୋଧ ନେବାକୁ କରନ ନିଜ ସହଯୋଗୀ ଯଗଦୀଶ ରୋହିଦାସ୍‌ଙ୍କ ସହ ଯୋଜନା ପ୍ରସ୍ତୁତ କରିଥିଲେ। ଯଗଦୀଶଙ୍କର ମଧ୍ୟ ବାବୁଙ୍କ ବିରୋଧରେ ପୁରୁଣା ରାଗ ଥିଲା, କାରଣ ବାବୁ ତାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ୬ ଅଗଷ୍ଟ ରାତି ପ୍ରାୟ ୧୧ଟାରେ କରନ ଓ ଯଗଦୀଶ ବାବୁଙ୍କୁ ଶୀତଲ ବନ୍ଧ(ପୋଖରୀ) ନିକଟକୁ ଡାକିଥିଲେ। ସେଠାରେ ଯଗଦୀଶ ଏକ ଲୁହା ରଡ୍‌ କରନଙ୍କୁ ଦେଇଥିଲେ। କରନ ଏଥିରେ ବାବୁଙ୍କ ମୁଣ୍ଡର ପଛ ଭାଗରେ ଆଘାତ କରିଥିଲେ। ବାବୁ ଅଚେତ୍ ହୋଇପଡ଼ିବା ପରେ ଯଗଦୀଶ ଏକ ଛୁରୀରେ ତାଙ୍କ ବେକ ଓ ଶରୀରରେ ଆଘାତ କରିଥିଲେ। ଘଟଣାସ୍ଥଳରେ ବାବୁର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ମୃତଦେହକୁ ପୋଖରୀର ଝାଡ଼ିରେ ଲୁଚାଇ ରଖିଥିଲେ। ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏହାର ଦୁଇଦିନ ପରେ ୮ ତାରିଖ ରାତି ପ୍ରାୟ ୩ଟା ବେଳେ ମୃତଦେହକୁ ପୋଖରୀ ଝାଡ଼ିରୁ ନେଇ ବୁର୍ଲା ପିସି ବ୍ରିଜ ନିକଟ ପାୱାର କେନାଲରେ ପକାଇ ଦେଇଥିଲେ।