ଫୁଲବାଣୀ,୯।୨ : ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ପ୍ରଧାନ ଶିକ୍ଷକ ଓ ଗ୍ରାମ୍ୟ ଶିକ୍ଷା ପରିଚାଳନା କମିଟି ସଭାପତିଙ୍କୁ ଚାରି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ତୁମୁଡିବନ୍ଧ ବ୍ଲକ ତୁଆକୁଲା ନୂତନ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ଏବଂ ଗ୍ରାମ୍ୟ ଶିକ୍ଷା ପରିଚାଳନା କମିଟିର ସଭାପତି ଧ୍ରୁବ ଚରଣ ମାଝୀ। ଉଭୟଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ ଭୋଗିବା ପାଇଁ ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଶ୍ରୀ ନାୟକ ଗତ ୨୦୧୫ ମସିହାରେ ତୁଆକୁଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ବେଳେ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲା। ଅଭିଯୁକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ଏଥିରୁ ୨ ଲକ୍ଷ ୪୧ ହଜାର ୭୨୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ତଦନ୍ତ କରାଯାଇଥିଲା। ଏହି ମାମଲାର ଶୁଣାଣୀ କରି ଭିଜିଲାନ୍ସ ଅଦାଲତ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାଟିକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ପ୍ରଭାତ ପଟ୍ଟନାୟକ ପରିଚାଳନା କରୁଥିଲେ।