ନୂଆଦିଲ୍ଲୀ : ସଫଳତାର ବହୁତ କମ କାହାଣୀ ଦୁଃଖଦ ଓ ହୃଦୟକୁ ଥରାଇ ଦେବା ଭଳି ଘଟଣା ସହ ଆରମ୍ଭ ହୁଏ। ଏମିତି ଏକ କାହାଣୀ। ସଫଳତା ଆଗରେ ହାର୍ ମାନିଛି ଦୁର୍ଘଟଣା, ପରାଜୟ ସ୍ୱୀକାର କରିଛି ଶାରୀରିକ ଅକ୍ଷମତା। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ ଓ ୨୮ ଦିନ ଭେଣ୍ଟିଲେଟରରେ ରହିବା ପରେ ସ୍ମୃତିଶକ୍ତି ହରାଇବା ଏବଂ ଶେଷରେ ହ୍ୱିଲଚେୟାରରେ ବସି UPSC ପରି କଠିନ ପରୀକ୍ଷାରେ ସଫଳତା ପାଇବା, କୌଣସି ସହଜ କଥା ନୁହେଁ। କେରଳର ଡ଼କ୍ଟର ଅଥିରା ସୁଗଥନଙ୍କ ସଂଘର୍ଷର କାହାଣୀ ଆଜି ସମଗ୍ର ଦେଶ ପାଇଁ ପାଲିଟିଛି ପ୍ରେରଣାର ଉତ୍ସ। ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ସେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସାରା ଦେଶରେ ୪୮୩ତମ ରାଙ୍କ ହାସଲ କରିଛନ୍ତି।
ସଫଳତାର କିଛି କାହାଣୀ ଏତେ ଯନ୍ତ୍ରଣାଦାୟକ ହୋଇଥାଏ ଯେ, ତାହା ଶୁଣିଲେ ଆଖିରେ ଲୁହ ଆସି ଯାଏ।ଡେଣ୍ଟାଲ୍ ସର୍ଜରୀ (BDS) ତୃତୀୟ ବର୍ଷରେ ପଢ଼ୁଥିବା ସମୟରେ ଅଥିରାଙ୍କ ଜୀବନକୁ ଓଲଟପାଲଟ କରି ଦେଇ ଥିଲା ଏକ ନିଷ୍ଠୁର ଦୁର୍ଘଟଣା। ପ୍ରାୟ ଏକ ମାସ ଭେଣ୍ଟିଲେଟରରେ ରହିବା ପରେ ଯେତେବେଳେ ସେ ଆଖି ଖୋଲି ଥିଲେ, ସେ ନିଜ ନାଁ, ପରିବାର ଲୋକ ଏବଂ ନିଜ ଅତୀତ ସବୁ କିଛି ଭୁଲି ଯାଇ ଥିଲେ। ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁଁ ଡାକ୍ତରମାନେ ସ୍ପଷ୍ଟ ମନା କରି ଦେଇ ଥିଲେ ଯେ, ସେ ଆଉ କେବେ ବି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବେ ନାହିଁ।
ସ୍ମୃତିଶକ୍ତି ଫେରି ପାଇବାର ବାଟ ଥିଲା ଖୁବ୍ କଠିନ। ମା’ ଓ ଭଉଣୀଙ୍କ ସାହାଯ୍ୟରେ ସେ ଧିରେ ଧିରେ ପରିବାର ଲୋକଙ୍କୁ ଚିହ୍ନିବା ଆରମ୍ଭ କଲେ। ଯେତେବେଳେ ଜାଣିବାକୁ ପାଇଲେ ଯେ, ସେ ଡାକ୍ତର ହେବାକୁ ଯାଉଛନ୍ତି, ପ୍ରଥମେ ସେ ବିଶ୍ୱାସ କଲେ ନାହିଁ। ଫିଜିଓଥେରାପି ସମୟରେ ଜଣେ ନର୍ସଙ୍କ ତାଚ୍ଛଲ୍ୟପୂର୍ଣ୍ଣ କଥା ଏବଂ ମା’ଙ୍କ ଆଖିର ଲୁହ ଅଥିରାଙ୍କ ଭିତରେ ଏକ ଜିଦ୍ ଭରି ଦେଇ ଥିଲା। ସେ ନିଜକୁ ଆତ୍ମନିର୍ଭରଶୀଳ କରିବାକୁ ପଣ କଲେ। ପୁଣି ଥରେ ମୂଳରୁ BDS ବହି ପଢ଼ିବା ଆରମ୍ଭ କଲେ ଏବଂ ପ୍ରଥମ ଶ୍ରେଣୀରେ ପାସ୍ କରି ନିଜ ଡିଗ୍ରୀ ପୂରଣ କଲେ।
ସେତିକିରେ ଅଟକି ନଥିଲା ଅଥିରାଙ୍କ ସ୍ୱପ୍ନ। ସେ ହ୍ୱିଲଚେୟାର ମଡେଲିଂ ଆରମ୍ଭ କରି କେରଳ ଫ୍ୟାଶନ୍ ଲିଗ୍ରେ ଶୋ’ଷ୍ଟପର୍ ହେଲେ। ଏହାପରେ ଦିବ୍ୟାଙ୍ଗଙ୍କ ଅଧିକାର ଏବଂ ସମାଜର ମାନସିକତା ବଦଳାଇବା ପାଇଁ ସେ UPSC ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ପ୍ରାୟ ୪ ବର୍ଷର କଠିନ ପରିଶ୍ରମ, ସୀମିତ ବହିକୁ ନେଇ ବାରମ୍ବାର ରିଭିଜନ୍ ଏବଂ ଦିନକୁ ମାତ୍ର ୫ ଘଣ୍ଟାର ଶୋଇବା, ଏହି ନିଷ୍ଠା ଅଥିରାଙ୍କୁ UPSC ସିଭିଲ ସେବା ପରୀକ୍ଷାରେ ସାରା ଦେଶରେ ୪୮୩ତମ ରାଙ୍କ୍ ଆଣି ଦେଇ ଥିଲା।
ଅଥିରା ହସି ହସି କୁହନ୍ତି -"୩୨ଟି ଦାନ୍ତରୁ ମୁଁ ଡେଣ୍ଟିଷ୍ଟ ହୋଇ ଥିଲି ଏବଂ ୨୮ଟି ରାଜ୍ୟର ଜ୍ଞାନ ସଂଗ୍ରହ କରି ମୁଁ ୪୮୩ତମ ରାଙ୍କ୍ ପାଇଲି। ଏହା କେବଳ ଏକ ପରୀକ୍ଷାର ନମ୍ବର ନୁହେଁ, ମୋର ସଂଘର୍ଷ,ରାତି ରାତିର ଅନିନ୍ଦ୍ରା ଓ ଦୃଢ ନିଷ୍ଠାର କାହାଣୀ। ଅଥିରାଙ୍କ ଏହି ଯାତ୍ରା ପ୍ରମାଣିତ କରେ ଯେ, ପରିସ୍ଥିତି ଯେତେ ମୁସ୍କିଲ ହେଉନା କାହିଁକି, ଯଦି ଦୃଢ ସଙ୍କଳ୍ପ ଥାଏ, ତେବେ କୌଣସି ବାଧା ବିପତ୍ତି ଆପଣଙ୍କ ସ୍ୱପ୍ନର ଉଡ଼ାଣକୁ ରୋକି ପାରିବ ନାହିଁ।
ଆହୁରି ମଧ୍ୟ ପଢନ୍ତୁ : Elon Musk AI warning : ୫ ବର୍ଷ ମଧ୍ୟରେ ମଣିଷଙ୍କ ଠାରୁ ଟପି ଯିବ AIର ବୁଦ୍ଧି , ୧୦ ବର୍ଷରେ ହାତରୁ ଖସି ଯିବ ସବୁ କଣ୍ଟ୍ରୋଲ୍ !