ମାଲକାନଗିରି; ୩/୧ : ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ହେଲେ ସାମିଲ୍ । ସୀମାନ୍ତରେ ଭୁଷୁଡୁଛି ମାଓଗଡ଼ । ମୁଖ୍ୟସ୍ରୋତରେ ସାମିଲ ହେଲେ ଛତିଶଗଡ ବିଜାପୁର ମାଓ ସଂଗଠନର ଶୀର୍ଷ ନେତା ବାରସେ ଦେବାଙ୍କ ସହ ୪୦ ଜଣ ମାଓବାଦୀ । ଏମାନେ ସମସ୍ତେ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓ ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ତେବେ ବର୍ଷ ଆରମ୍ଭରୁ ମାଓ ସଂଗଠନକୁ ନେଇ ଏକ ବଡ ଖବର ଛତିଶଗଡ଼ର ବସ୍ତର ଅଞ୍ଚଳରୁ ଆସିଛି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର ୧ ର କମାଣ୍ଡର ବାରସେ ଦେବୀ ଔରଫ ସୁକ୍କା ତାଙ୍କର ପ୍ରାୟ ୪୦ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ବାରସେ ଏବଂ ତାଙ୍କ ସହଯୋଗୀ ମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡି ତେଲେଙ୍ଗାନାରେ ପହଞ୍ଚିଛନ୍ତି । ତେଲେଙ୍ଗାନା ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ବାରସେ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ମାଡଭି ହିଡମାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ, ବାଟାଲିୟନ ନମ୍ବର ୧ କୁ କମାଣ୍ଡ କରିଥିଲେ । ହେଲେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ତେଲେଙ୍ଗାନା ଡିଜିପି କହିଛନ୍ତି ।