ଭୁବନେଶ୍ୱର,୨୭/୦୨: ରାଜ୍ୟରେ କେମିତି  ଚାଲିବ ତହସିଲ କାମ? ଖାଲିପଡ଼ିଛି ପାଖପାଖି  ୪ ହଜାର ପଦବି । ସେଥରେ ୧୦୦୧ ରାଜସ୍ୱ  ନିରୀକ୍ଷକ (ଆର୍‌ଆଇ), ୧୫୬୯ ସହକାରୀ ରାଜସ୍ୱ  ନିରୀକ୍ଷକ(ଏଆର୍‌ଆଇ) ଓ ୧୪୦୧ ଅମିନ ପଦବି  ରହିଛି । ବିଶେଷ କରି ଜମି ପଟ୍ଟା ହେବାଠୁ ଆରମ୍ଭ  କରି ଜାତି ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର,  ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ବିଭିନ୍ନ  କ୍ଷେତ୍ରରେ ରାଜସ୍ୱ ଅଧିକାରୀଙ୍କ ଭୂମିକା ରହିଛି ।  ହେଲେ ଦୀର୍ଘ ଦିନ ହେବ ଏହି ପଦବି ପୂରଣ ନ  ହୋଇ ଖାଲିପଡ଼ିଛି ।  

ରାଜ୍ୟର ୩୧୭ଟି ତହସିଲରେ ୨୭୧୧ଟି ରାଜସ୍ୱ  ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ସେଥିରେ ମୋଟ  ୩୬୬୫ ଆର୍‌ଆଇ, ୩୧୦୧ ଏଆର୍‌ଆଇ ଓ  ୨୭୮୯ ଅମିନ ନିଯୁକ୍ତି ହେବା କଥା । ମାତ୍ର ସାରା  ରାଜ୍ୟରେ ଏବେ ମୋଟ ୨୫୬୪ ଆର୍‌ଆଇ, ୧୫୩୨  ଏଆର୍‌ଆଇ ଓ ୧୩୮୮ ଅମିନ ଅଛନ୍ତି । କଟକ  ଜିଲ୍ଲାରେ ସର୍ବାଧିକ ୮୨ ଆର୍‌ଆଇ ପଦବି ଖାଲି  ପଡ଼ିଥିବାବେଳେ ୧୦୭ ଏଆର୍‌ଆଇ ଓ ୯୦ଟି  ଅମିନ ପଦବି ଖାଲିପଡ଼ିଛି । ଗଞ୍ଜାମ ଜିଲ୍ଲାରେ  ୭୩ ଆର୍‌ଆଇ, ୧୨୩ ଏଆର୍‌ଆଇ ଓ ୧୪୩ଟି  ଅମିନ ପଦବି ଖାଲି ପଡ଼ିଥିବା ବେଳେ ବଲାଙ୍ଗିରରେ  ୬୬ ଆର୍‌ଆଇ, ୪୭ ଏଆର୍‌ଆଇ ଓ ୬୬ଟି  ଅମିନ ପଦବି ଖାଲି ପଡ଼ିଥିବା ବିଭାଗୀୟ ସୂତ୍ରରୁ  ଜଣାପଡ଼ିଛି ।ତେବେ  ଏହି ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ  ହୋଇଥିବା ରାଜସ୍ୱ  ମନ୍ତ୍ରୀ ସୁରେଶ ପୂଜାରୀ  ସୂଚନା ଦେଇଛନ୍ତି । 

ବିଶେଷ କରି ୫୫୯ଟି  ଆର୍‌ଆଇ, ୮୨୭  ଏଆର୍‌ଆଇ ଓ ୬୮୬ଟି ଅମିନ ନିଯୁକ୍ତି ପାଇଁ  ଲିଖିତ ପରୀକ୍ଷା ହୋଇଛି । ଆଗାମୀ ଦିନରେ  ୨୯୬ ଆର୍‌ଆଇ, ୫୭୨ ଏଆର୍‌ଆଇ, ୫୪୬  ଅମିନ ନିଯୁକ୍ତ ହେବେ । ଏହି ପଦବିଗୁଡ଼ିକୁ  ପୂରଣ କରିବା ପାଇଁ ଓଏସ୍‌ଏସ୍‌ଏସ୍‌ସିକୁ  ନିର୍ଦ୍ଦେଶ ଦିଆଯାଇଛି । ଖାଲି ପଡିଥିବା  ଅବଶିଷ୍ଟ ପଦବିଗୁଡ଼ିକୁ ଉଭୟ ଚୟନ ପ୍ରକ୍ରିୟା  ଓ ପଦୋନ୍ନତି ଭିତ୍ତିରେ ପୂରଣ କରିବା ପାଇଁ  ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି  ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।