ଜହ୍ନlପଙ୍କ ୪/୯ : ପିକନିକ ସ୍ପଟର ଗୁରୁତ୍ବ ବଢ଼ାଇବା ପାଇଁ ପୂର୍ବ ସରକାର ଅମଳରେ ବୌଦ୍ଧ ବ୍ଲକ ବଘିଆପଡ଼ା ନିକଟରେ ନିର୍ମାଣ କରାଯାଇଥିଲା ତାମ୍ବି ଦରହ ଇକୋ ରିଟ୍ରିଟ ସେଣ୍ଟର। ବୌଦ୍ଧ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାର ଦୁଇ ବର୍ଷ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ, ତାହା କାର୍ଯ୍ୟକ୍ଷମ ହୋଇନପାରି ଏବେ ତାହା ମାଟିରେ ମିଶିବାକୁ ବସିଲାଣି। ଫଳରେ ସରକାର କା ମାଲ୍ ଦରିଆ ମେଁ ଡାଲ୍ ସଦୃଶ ହୋଇଛି।

ସୂଚନାଯୋଗ୍ୟ ଯେ ବୌଦ୍ଧ ବ୍ଲକ ବଘିଆପଡା ରାସ୍ତାର ବଘିଆପଡା ଠାରୁ ଟିକରପଡା ରାସ୍ତାରେ ୨.୫ କିଲୋମିଟର ଗଲା ପରେ ଡାହାଣକୁ ଗଲେ ପଡେ ତାମ୍ବିଦରହ। ପର୍ଯ୍ୟଟକଙ୍କ ଜାଣିବା ପାଇଁ ସୁନ୍ଦର ତୋରଣ ନିର୍ମାଣ ହୋଇଛି। ବନ ଓ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ଏହି ସ୍ଥାନରେ ୨୦୨୧-୨୨ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ବ୍ଲକ ଅଧିନରେ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ତେବେ ଏହା ଟେଣ୍ଡର କରାନଯାଇ ଦଳୀୟ ଭିତ୍ତିରେ କାର୍ଯ୍ୟାଦେଶ ଦିଆଯାଇଥିଲା। ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ ରାସ୍ତା ପାଇଁ ମନରେଗା ଯୋଜନାରେ ୫ ଲକ୍ଷ ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯାଇଛି। ଏହି ରାସ୍ତାରେ ମୋରମ ଠିକ ଭାବେ ପକା ଯାଇନଥିବାରୁ ମେଟାଲ ଗୁଡିକ ବାହାରି ରାସ୍ତା ମରଣଯନ୍ତା ପାଲଟିଛି I ପର୍ଯ୍ୟଟକଙ୍କ ରହିବା ପାଇଁ ଚାରୋଟି କଟେଜ ବା ଘର ନିର୍ମାଣ ପରଠୁ ବ୍ୟବହାର ନହୋଇ ନଷ୍ଟ ହେଲାଣି । ଘର ଭିତରେ ସାଜସଜ୍ଜା ପାଇଁ  କିଣାଯାଇଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର ପୂର୍ବରୁ ଭାଙ୍ଗି ଯାଇଛି। କେବଳ ସୌର ଚାଳିତ ପାନୀୟ ଜଳ ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ଏକ ଛୋଟ ପାର୍କ ସହିତ ଲାଇଟ ବ୍ୟବସ୍ଥା କରାଯାଇଥିଲା। ତେବେ ଉଦଘାଟନ ପୂର୍ବରୁ ରକ୍ଷଣା ବେକ୍ଷଣ ଅଭାବରୁ ସବୁ ସାମଗ୍ରୀ ନଷ୍ଟ ନେଲାଣି I ଅନାବନା ଗଛରେ ପରିସର ପରିପୂର୍ଣ ହୋଇ ଦିନରେ ବୁଲା ଗାଈଗୋରୁଙ୍କ ଚରାଭୂଇଁ ପାଲଟିବା ବେଳେ ସନ୍ଧ୍ୟାରେ ମଦୁଆଙ୍କ ଅଡ୍ଡା ଜମୁଛି। ଯେଉଁ ଉଦେଶ୍ୟ ନେଇ ଏହା ନିର୍ମାଣ କରାଯାଇଥିଲା ତାହା ଲକ୍ଷ୍ୟ ଠାରୁ ବହୁ ଦୂରରେ। ତେବେ ଠିକାଦାର ଏଥିରେ ମାଲେମାଲ୍ ହୋଇଥିବା ଚର୍ଚ୍ଚା ହେଉଛି।

ଏହି ପ୍ରକଳ୍ପରେ ଯେତେ ଗୁଡିଏ ଟଙ୍କା ଖର୍ଚ୍ଚ ହେଲା ଯଦି ଏହି ପ୍ରକଳ୍ପକୁ ଐତିହାସିକ ଗନ୍ଧରାଡ଼ି (ଚାରିଶମ୍ଭୁ) ମନ୍ଦିର ପରିସରରେ କରାଯାଇଥାନ୍ତା ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତା। ଏହି ପ୍ରକଳ୍ପ ନିର୍ମାଣ ମଧ୍ୟରେ ଦୁଇ ଜଣ ଜିଲ୍ଲାପାଳ ଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ବାବଦରେ କାହାର ଦୃଷ୍ଟି ପଡ଼ିନାହିଁ ନା ଦୁର୍ନୀତି ପେଡି ଖୋଲିଯିବ ବୋଲି ଜିଲ୍ଲାପାଳଙ୍କୁ ଜଣାଉନାହାନ୍ତି। ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ପୁନଃରୁଦ୍ଧାର କରାଗଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ସରକାରଙ୍କ ରାଜସ୍ବ ଆଦାୟ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ  କରିଛନ୍ତି।