ମାଲକାନଗିରି,୧୬/୨ (ଆପ୍ର ) :  ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଧାନ ବ୍ୟବସାୟୀଙ୍କ ଗୋଦାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ଗତ ଦୁଇ ଦିନର ଚଢ଼ାଉରେ ୪୫୧କୁଇଣ୍ଟାଲ ଧାନ ଜବତ କରାଯାଇଛି।  ସମ୍ପୃକ୍ତ ବ୍ୟବସାୟୀଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାୟର କରାଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଛନ୍ତି। 

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ, ମାଲକାନାଗିରି ପୋଲିସ୍ ଓ ଅତିରିକ୍ତ ତହସିଲଦାରଙ୍କ ଦ୍ବାରା କାଲିମେଳା ଓ ପଦ୍ମଗିରି ଅଞ୍ଚଳରେ ଅସାଧୁ ଧାନ ବ୍ୟବସାୟୀଙ୍କୁ ଧରିବା ପାଇଁ ଏକ ମିଳିତ ଉଦ୍ୟମ କରାଯାଇଥିଲା ।  ଏମଭି ୮୪ଗ୍ରାମର ଦୁଇଜଣ ବ୍ୟକ୍ତି ଯଥା ରଞ୍ଜନ ବିଶ୍ଵାସ ଓ ବନଲାଲ ଦେଙ୍କ ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ରଞ୍ଜନ ବିଶ୍ବାସଙ୍କ ଗୋଦାମ ରୁ ୨୫୦କୁଇଣ୍ଟାଲ ଓ ବନଲାଲ ଦେଙ୍କ ଗୋଦାମରୁ  ୨୦୧ କୁଇଣ୍ଟାଲ ଧାନ ନିଜ ନିଜ ମଣ୍ଡି ପାଇଁ ଉଦ୍ଦିଷ୍ଟ ଟୋକନ ଠାରୁ ଅଧିକ ଅତିରିକ୍ତ ଧାନ ଜଵତ କରାଯାଇଥିଲା।  ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରି ନଥିଲେ । ତେଣୁ ଏହି ଅତିରିକ୍ତ ଧାନ ଯୋଗାଣ ନିରୀକ୍ଷକ, ମାଲକାନଗିରି ଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯାଇଥିଲା ଓ ଜିଲ୍ଲାପାଳ ମାଲକାନଗିରି ଙ୍କ ଠାରେ ଅଭିଯୋଗ ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନାଗିରି , ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଥିଲେ ।