କଟକ/ବାଙ୍କୀ/ଡମପଡ଼ା,୧୫/୦୬:  ଯାଜପୁର ପରେ କଟକରେ ଝାଡ଼ାବାନ୍ତି ବ୍ୟାପିଛି ।  ଦୁଇ ବ୍ଲକ୍‌ରୁ ୪୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କଟକ ସଦର ବ୍ଲକ୍‌ ଅଧୀନ ବୟାଳିଶମୌଜା ଝିଙ୍କିରିଆ ଗ୍ରାମରେ ୨୦ଜଣ ଓ ବାଙ୍କୀ ବ୍ଲକ କନ୍ତପହଁରା ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମର ତଳସାହିରେ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ  ପଠାଯାଇଛି । ଜଳ ନମୁନା ସଂଗ୍ରହ କରାଯାଇଥିବା  ବେଳେ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । 

ଝିଙ୍କିରିଆ ଗ୍ରାମରେ ଜଳ ଜନିତ ସଂକ୍ରମଣ ହୋଇଥିଲା । ଏହାକୁ ପିଇ ଗ୍ରାମବାସୀ ଆକ୍ରାନ୍ତ ହୋଇଥିଲେ । ପ୍ରାୟ ୨୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା । ଏବେ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।  ବେଣ୍ଟକାର ସିଏଚ୍‌ସି ତରଫରୁ ଏଠାରେ ୩ ଦିନ  ଧରି ସ୍ୱାସ୍ଥ୍ୟ ଶିବିର ପରିଚାଳିତ ହେଉଛି । ବେଣ୍ଟକାର  ସିଏଚ୍‌ସିର କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇ  ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ କରାଯାଇଥିବା ଜିଲ୍ଲା  ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା  ମିଳିଛି । 

ଅନ୍ୟପକ୍ଷରେ ବାଙ୍କୀ କନ୍ତପହଁରା ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମର ତଳସାହିରେ ଝାଡ଼ାବାନ୍ତିରେ ଆକ୍ରାନ୍ତମାନେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଠଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା  ସୂଚନା ମିଳିଛି । ଆଠଗଡ଼ ମେଡିକାଲରେ ୨ ଜଣଙ୍କ  ଚିକିତ୍ସା ଚାଲିଥିବା ବେଳେ ସେଠାରୁ ୨ ଆକ୍ରାନ୍ତଙ୍କୁ  କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ଶନିବାର ଖବର ପାଇ ବାଙ୍କୀ ଓ କଟକ ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍‌ ଘୋଳପୁର  ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ଘୋଳପୁର ଗ୍ରାମରେ ଏବେ ପାନୀୟ ଜଳର  ଅଭାବ ଦେଖାଦେଇଛି । ଗ୍ରାମର ଅଧିକାଂଶ ଲୋକ  ପାଇପ୍‌ ପାଣି ବ୍ୟବହାର କରୁଥିବାବେଳେ କିଛି  ମହାନଦୀରୁ ପାଣି ଆଣି ଚଳୁଛନ୍ତି । ଗ୍ରାମକୁ  ଯାଇଥିବା ପାଇପ୍‌ ପାଣି ପିଇବା ଫଳରେ ଏଭଳି  ସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ ଅଭିଯୋଗ  କରିଛନ୍ତି । ବାଙ୍କୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରର ଡା. ଅମରେଶ ସାହୁଙ୍କ ନେତୃତ୍ୱରେ  ଏକ ଟିମ୍‌ ଘୋଳପୁରରେ ପହଞ୍ଚି ଘରକୁ ଘର  ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ ।  

ଏହା ସହିତ ପ୍ରତି ପରିବାରକୁ ହାଲୋଜେନ୍‌  ବଟିକା, ବ୍ଲିଚିଂ ପାଉଡର୍‌ ବଣ୍ଟନ କରିଥିଲେ ।  ଖୋଲା କୂଅ ଗୁଡ଼ିକରେ ମଧ୍ୟ ବ୍ଲିଚିଂ ପାଉଡର୍‌ ପକାଯାଇଛି । ଗ୍ରାମବାସୀଙ୍କୁ ସଂକ୍ରମଣ ବାବଦରେ  ସଚେତନ କରାଯାଇଥିଲା । ଏହି ଟିମ୍‌ରେ ଡା.  ମିଲନ ତ୍ରିପାଠୀ, ଜନସ୍ୱାସ୍ଥ୍ୟ ଅଧିକାରୀ ମାନଭଞ୍ଜନ  ଦଳାଇ, ମୋହନ ଚରଣ ସାହୁ, ଜୟ ପ୍ରକାଶ ଖଟୁଆ,  ସାବିତ୍ରୀ ପଣ୍ଡା ଏବଂ ଆଶାକର୍ମୀ ସାମିଲ ଥିଲେ ।  ଏହାସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ  ମାଇକ୍ରୋ ବାଇଓଲୋଜିଷ୍ଟ୍‌ ଓ ଏପିଡେମିଓଲୋଜିଷ୍ଟଙ୍କୁ  ନେଇ ଏକ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ  କରିଥିବା ଜଣାପଡ଼ିଛି । ଘୋଳପୁରରେ ଝାଡ଼ାବାନ୍ତି  ବ୍ୟାପିବା ଘଟଣା ଉପରେ ବିଭାଗ ସମ୍ପୂର୍ଣ୍ଣ  ନଜର ରଖିଛି ବୋଲି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରର ଡା. ଅମରେଶ ସାହୁ ପ୍ରକାଶ କରିଛନ୍ତି।