ଭୁବନେଶ୍ୱର,୦୪/୧୧: ଓଡ଼ିଶାରେ ଔଷଧ କାରବାର ଉପରେ ନିୟନ୍ତ୍ରଣ ଏବଂ ନକଲି  ଔଷଧ ଧରପଗଡ଼ ବାଧାପ୍ରାପ୍ତ ହୋଇଛି । କାରଣ ନିର୍ଦ୍ଦେଶାଳୟରେ ୨ ବର୍ଷ ହେଲାଣି ଖାଲି ପଡ଼ିଛି ୪୭ ଡ୍ରଗ୍‌ସ ଇନ୍ସପେକ୍ଟର ପଦବି । ରାଜ୍ୟରେ ବର୍ଷକୁ ପ୍ରାୟ ୫ହଜାର କୋଟି ଟଙ୍କାର ଔଷଧ କାରବାର ହେଉଥିଲା ବେଳେ ୩୧ହଜାର ପାଖାପାଖି ଔଷଧ ଦୋକାନ ରହିଛି । ଏଭଳି  ସ୍ଥିତିରେ ଆବଶ୍ୟକ ସଂଖ୍ୟକ ଡ୍ରଗ୍ସ ଇନ୍ସପେକ୍ଟର ପଦବି ନଥିବାରୁ ନକଲି ଔଷଧ କାରବାର ବଢ଼ୁଥିବା ଦେଖାଯାଉଛି ।

ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା  ଅନୁଯାୟୀ, ୪୭ଟି ଡିଆଇ ପଦବିରେ ନିଯୁକ୍ତି  ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ନିଯୁକ୍ତି  ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ପରୀକ୍ଷାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଏହା ବିଚାରାଧୀନ  ରହିଛି । ଫଳରେ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ  ହୋଇଛି । ପୁଣି ଥରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । 

ନିର୍ଦ୍ଦେଶାଳୟରେ ୬୬ଟି ଡ୍ରଗ୍‌ସ ଇନ୍ସପେକ୍ଟର  (ଡିଆଇ) ପଦବି ମଧ୍ୟରୁ ୪୭ ପଦବି ଖାଲି  ପଡ଼ିଛି । ୧୯ଟି ପଦବିରେ ବର୍ତ୍ତମାନ ଆସିଷ୍ଟାଣ୍ଟ ଡ୍ରଗସ୍‌ କଣ୍ଟ୍ରୋଲରମାନେ ଯୁଗ୍ମ ଦାୟିତ୍ୱ ତୁଲାଉଥିବାରୁ ସେମାନେ ଚାପଗ୍ରସ୍ତ ରହୁଥିବା ଅଭିଯୋଗ ହୋଇଛି । ଫଳରେ ନକଲି ଔଷଧ କାରବାର ସହିତ ବେଆଇନ କାର୍ଯ୍ୟ ଉପରେ ନଜର ରଖିବାରେ ବାଧା ସୃଷ୍ଟି ହେଉଛି । ଗତବର୍ଷ  ୧୦ କୋଟିର ନକଲି ଔଷଧ ଧରାପଡ଼ିଥିଲାବେଳେ ୧୦ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ବର୍ଷେ  ହେଲାଣି ରାଜ୍ୟରେ ନକଲି ଔଷଧ କାରବାର ଧରପଗଡ଼ ନେଇ କିଛି ପଦକ୍ଷେପ ନିଆଯାଇନାହିଁ । 

ସ୍ୱାସ୍ଥ୍ୟ ବିଭାଗ ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ପୂର୍ବରୁ ନକଲି କାରବାର ନେଇ ରାଜ୍ୟ  ଟାସ୍କଫୋର୍ସ (ଏସ୍‌ଟଏଫ୍‌) ଗଠନ ହୋଇଥିଲା । ଯାହାଫଳରେ ରାଜ୍ୟରେ ନକଲି କାରବାର  ସମ୍ପର୍କରେ ପର୍ଦ୍ଦାଫାସ ହେଉଥିଲା । ବର୍ତ୍ତମାନ  ଏସ୍‌ଟିଏଫ୍‌ର ଦକ୍ଷତା ବୃଦ୍ଧି କରିବାକୁ ଚିନ୍ତା କରାଯାଉଛି । ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ  ଡକାଯାଇ ଏନେଇ ନିଷ୍ପତ୍ତି ହେବ । ବେଆଇନ  ଔଷଧ କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ପାଇଁ ଏସ୍‌ଟିଏଫ୍‌ ସଦସ୍ୟଙ୍କୁ ଗିରଫ କରିବା  କ୍ଷମତା ପ୍ରଦାନ ନେଇ ପ୍ରସ୍ତାବ ମଧ୍ୟ ରହିଛି  ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।