ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ପିଟିସନ୍‌କୁ ଅଣଦେଖା ପଡିଲା ମହଙ୍ଗା, କଟକରେ ୪୮ ଅଧିକାରୀଙ୍କ ଦରମା ବନ୍ଦ

Published By : Prameya | March 3, 2025 10:31 AM

କଟକ,୦୩/୦୩: ବିଭିନ୍ନ ସମସ୍ୟା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଫେରାଦ୍‌ ହେଉଛନ୍ତି ସାଧାରଣ ଲୋକେ । କାର୍ଯ୍ୟାନୁଷ୍ଠାନ ପାଇଁ ପିଟିସନ୍‌ ଦେଉଛନ୍ତି ।  ଅଭିଯୋଗ ଆଧାରରେ ଆବଶ୍ୟକ ପଦକ୍ଷେପ  ନେବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ନିର୍ଦ୍ଦେଶ ଅନୁସାରେ  ପଦକ୍ଷେପ ନିଆଯାଉନାହିଁ । ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ପିଟିସନ୍‌କୁ ଅଣଦେଖା  କରିବା ଏବେ କଟକ ଜିଲ୍ଲା ପ୍ରଶାସନ ଅଧୀନରେ କାର୍ଯ୍ୟରତ ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଛି । ନିର୍ଦ୍ଦେଶ ଆଧାରରେ ପଦକ୍ଷେପ ନେଇନଥିବାରୁ କଟକ ଜିଲ୍ଲାର  ୪୮ ଜଣ ସରକାରୀ ଅଫିସରଙ୍କ ଦରମା ବନ୍ଦ କରାଯାଇଛି । କେବଳ ସରକାରୀ ଅଧିକାରୀ ନୁହନ୍ତି, ସେମାନଙ୍କ ଅଧୀନରେ କାମ କରୁଥିବା ପ୍ରାୟ ୧୫ ଶହ କର୍ମଚାରୀ ବି ଫେବ୍ରୁଆରୀ ମାସର ଦରମା ଉଠାଇ ପାରିନାହାନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲାର ଟ୍ରେଜେରୀ ଅଫିସର ଓ ସମସ୍ତ ସବ୍‌-ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି  ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ । 

ଦରମା ବନ୍ଦ ଥିବା ଅଫିସରଙ୍କ ତାଲିକାରେ ରହିଛନ୍ତି ୧୦ ବିଡିଓ, ୬ ତହସିଲଦାର,  କଟକ ସିଡିଏମ୍‌ଓ, ବାଙ୍କୀ ଉପଜିଲ୍ଲାପାଳ  ପ୍ରମୁଖ । ଏହାସହ ଡିସିପିଓ, ଓମ୍‌ଫେଡ୍‌ ଏମ୍‌ଡି, ଇଡ୍‌କୋ ଜିଏମ୍‌ଙ୍କ ସମେତ ବହୁ  ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ବି ଅଛନ୍ତି । ନିର୍ଦ୍ଦେଶ ଦିଆଯିବାର କିଛି ଘଣ୍ଟା  ଭିତରେ କିଛି ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ତରବରିଆ ଢଙ୍ଗରେ ବାକି ଥିବା କାମ ତୁଟାଇ ଦିଆଯାଇଛି । ଯାହାଫଳରେ ପ୍ରାୟ ୧୫ ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ଦରମା ବିଳମ୍ବରେ  ପ୍ରଦାନ କରାଯାଇଛି । ଆହୁରି ୩୦ରୁ ଅଧିକ ଅଧିକାରୀ ଓ ଅନେକ କର୍ମଚାରୀଙ୍କ ଦରମା ଏବେ ସୁଦ୍ଧା ବନ୍ଦ ରହିଛି ।  

ରାଜ୍ୟରେ ସରକାର ପରିବର୍ତ୍ତନ ହେବା  ପରେ ପ୍ରଶାସନିକ କାର୍ଯ୍ୟଧାରାରେ ସଂସ୍କାର  ଆଣିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ।  ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ବାଟ  ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ  ରହିଛି । କିନ୍ତୁ କିଛି ସରକାରୀ ଅଧିକାରୀ ଓ  କର୍ମଚାରୀ ପୁରୁଣା ଢାଞ୍ଚାରେ ଚାଲିଛନ୍ତି ଓ ଏଭଳି  ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି ।  

ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ  ଆସୁଥିବା ଅଭିଯୋଗଗୁଡିକର ସମାଧାନ କରିବାକୁ  ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଯାହାକୁ  ନେଇ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନେ  ଅକଳରେ ପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ  ଯାଉଥିବା ଅଭିଯୋଗ ପତ୍ରଗୁଡିକୁ ଅନୁଧ୍ୟାନ  କରିବାକୁ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ  କାର୍ଯ୍ୟାଳୟକୁ ଆସିଥାଏ । ଏସବୁକୁ ଅନୁଧ୍ୟାନ  କରି ଅଭିଯୋଗର ସମାଧାନ କରିବା, ବିବାଦୀୟ  ଥିଲେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା କିମ୍ବା  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଉତ୍ତର ଫେରାଇବାର  ବ୍ୟବସ୍ଥା ରହିଛି ।  

କିନ୍ତୁ ଏ ପ୍ରକ୍ରିୟାକୁ କଟକରେ ସରକାରୀ  ବାବୁମାନେ ଅଣଦେଖା କରିଥିଲେ । ଯାହାଫଳରେ  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ  ସରକାର ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ  ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ୪୮ଜଣ  ସରକାରୀ ଅଧିକାରୀ ଓ ସେମାନଙ୍କ ଅଧୀନରେ  କାର୍ଯ୍ୟରତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଛନ୍ତି । କଟକ ଜିଲ୍ଲାରେ ପ୍ରଥମଥର  ଏଭଳି ଘଟିନାହିଁ । ମନରେଗା ଯୋଜନାରେ  ଜବ୍‌କାର୍ଡଧାରୀଙ୍କୁ କାର୍ଯ୍ୟଦିବସ ଯୋଗାଇ  ପାରିନଥିବାରୁ ଗତ ଡିସେମ୍ବରରେ ୨ଶହରୁ ଅଧିକ  କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିଲେ  ଜିଲ୍ଲା ପ୍ରକଳ୍ପ ଅଧିକାରୀ । ଛାଟ ପଡ଼ିବାର ମାସକ  ଭିତରେ ପ୍ରାୟ ବ୍ଲକ୍‌ରେ ସମସ୍ୟାର ସମାଧାନ ହୋଇଯାଇଥିଲା । ଏବେ ପୁଣି ଏଭଳି ଘଟଣା  ସାମ୍ନାକୁ ଆସିଛି । ଯେପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରିତା  ରିପୋର୍ଟ ଦାଖଲ ନକରିଛନ୍ତି ସେ ପର୍ଯ୍ୟନ୍ତ ଅଧିକାରୀ  ଓ କର୍ମଚାରୀଙ୍କ ଦରମା ବନ୍ଦ ରହିବ ବୋଲି ଏଡିଏମ୍‌  ଶ୍ରୀ ଟପୋ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.