ବ୍ରହ୍ମପୁର ୨୮।୪ : ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ରିମାଣ୍ଡ ଅବଧି ଶେଷ ହେବା ପରେ ୫ ଅଭିଯୁକ୍ତ ବ୍ରହ୍ମପୁର ଜେଲକୁ ଫେରିଛନ୍ତି । ଗୋପାଳପୁର ଥାନାରୁ ୫ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲକୁ ନିଆଯାଇଛି।

ଗଞ୍ଜାମ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣାରେ ପୁଲିସ ସୁଧୀରଙ୍କ ଝିଆରୀ ଓ ପୁତୁରା ସହ ୯ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା। ରିମାଣ୍ଡରେ ପୁଲିସ ବିଭିନ୍ନ ଦିଗକୁ ନେଇ ଜେରା କରିବା ସହ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା । ଗତ ୨୫ରୁ ୨୭ ତାରିଖ ଯାଏଁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ପୁଲିସ । ରିମାଣ୍ଡ ଶେଷ ପରେ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି ।ହାଜର ପରେ ସମସ୍ତଙ୍କୁ ଗୋପାଳପୁର ଥାନାକୁ ନିଆଯାଇଥିଲା । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ବ୍ରହ୍ମପୁର ଜେଲ୍କୁ ପଠାଯାଇଛି । ଏହି ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି ।

ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ । ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝିଆରୀ ନିବେଦିତା ପାତ୍ର, ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ପୁତୁରା ତୁଷାର, ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ(୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁଭମ୍ ନାୟକ(୨୦) ଓ ପୁନରାଖଣ୍ଡି ଗାଁର ଗେଡ଼ୁ ଓରଫ୍ ଶୁଭମ ଗୌଡ଼(୨୦) । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ମୁଖ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ, କାଳୁ ଚରଣ ପ୍ରଧାନ, ଜିତୁନ୍ ପଲେଇ, ଆଶିଷ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ମିଳିଛି। ଅନ୍ୟପକ୍ଷରେ ଜେଲ୍ରେ ସୁଧୀରଙ୍କ ଝିଆରୀ ନିବେଦିତା ଏବଂ ପୁତୁରା ତୁଷାର ଅଛନ୍ତି । ସେମାନଙ୍କୁ ପୁଲିସ ଜେରା କରିବା ପାଇଁ ରିମାଣ୍ଡରେ ନେଇପାରେ ।