ଭୁବନେଶ୍ୱର,୦୧/୦୮: ୫ଜଣ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଶିଳ୍ପ ନିର୍ଦ୍ଦେଶକ ଆବୋଲି  ସୁନୀଲ ନରୱାଣେଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ  ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ  (ଏଡିଏମ୍‌) ଦୀନହା ଦସ୍ତାଗୀରଙ୍କୁ ରାଉରକେଲା ମହାନଗର ନିଗମ  (ଆର୍‌ଏମ୍‌ସି) କମିଶନର ଓ ରାଉରକେଲା ସ୍ମାର୍ଟସିଟି ଲିଃର ସିଇଓ  ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)ର ସଚିବ ଭାବେ  ଅତିରିକ୍ତ ଦାୟିତ୍ୱ ମିଳିଛି ।  

ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) କମିଶନର  ରେହାନ ଖତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ)ର  ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । କୀରନଦୀପ  କୌର ସହୋତା କଟକ ମହାନଗର ନିଗମ (ସିଏମ୍‌ସି) କମିଶନର  ଥିବାବେଳେ ତାଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଉପାଧ୍ୟକ୍ଷ  ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର । ପ୍ରଥମେଶ ଅରବିନ୍ଦ  ରାଜେଶହିର୍‌କେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)  କମିଶନର ଥିବାବେଳେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ  ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ  ନେଇ ବିଜ୍ଞପ୍ତି ଜାରି କରାଯାଇଛି ।