ପୁରୀ, ୧୬।୧ : ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା ଅବସରରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ସକାଶେ ପରାମର୍ଶ ଦେଇଛନ୍ତି ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ  ଏହି ପରାମର୍ଶ ତଥା ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିବା ଡ. ଅରବିନ୍ଦ ପାଢୀ କହିଛନ୍ତି। 

୧-ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ।

୨-ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ।

୩- ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ତାରିଖ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ।‌ ଏହା ଦାଖଲ ନକଲେ କୌଣସି ଇନକ୍ରିମେଣ୍ଟ ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ।

୪- ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ।

୫- ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି।