ନୂଆଦିଲ୍ଲୀ,୨୭/୦୮ : ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ଯାଉଛି ଆମେରିକା। ଏଥିପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ଭାରତୀୟ ସମୟ ଅନୁସାରେ, ଏହି ଟାରିଫ୍‌ ବୁଧବାର ଅର୍ଥାତ ଅଗଷ୍ଟ ୨୭ ସକାଳ ୯ଟା ୩୧ରେ ଲାଗୁ ହେବ। ରୁଷ ତେଲ କ୍ରୟ ପାଇଁ ଅଗଷ୍ଟ ୬ରେ ଭାରତ ଉପରେ ଜରିମାନା ସହ ଅତିରିକ୍ତ ଟାରିଫ୍‌ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିଭଳି ବ୍ୟାପାର ଘାଟା ଦର୍ଶାଇ ସେ ଭାରତ ଉପରେ ଅଗଷ୍ଟ ୭ରୁ ୨୫% ଟାରିଫ୍‌ ଲାଗୁ କରିଥିଲେ । ବର୍ତ୍ତମାନ ଅତିରିକ୍ତ ୨୫% ଶୁଳ୍କ ମିଶିବା ପରେ ଆମେରିକାକୁ ରପ୍ତାନି ହେବାକୁ ଥିବା ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦% ଟାରିଫ୍‌ ଲାଗିବ । 

ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଭାରତରୁ ଆସିବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଏବେ ୫୦% ଶୁଳ୍କ ଲାଗିବ । ଟ୍ରମ୍ପଙ୍କ ଏହି ଟାରିଫ୍‌ ଯୋଗୁ ଆମ୍‌ ଆଦ୍‌ମୀଙ୍କଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ ଉପରେ ପ୍ରଭାବ ପଡ଼ିବ । ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା ଗହଣା, ରତ୍ନପଥର, ବୟନ ଶିଳ୍ପ, କାର୍ପେଟ୍‌, ଫର୍ଣ୍ଣିଚର୍‌ ଅଟୋମୋବାଇଲ, ସାମୁଦ୍ରିକ ଖାଦ୍ୟ ଆଦି ଶିଳ୍ପଗୁଡ଼ିକର ଲାଭ ସଂକୁଚିତ ହେବ । ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍‌(ଜିଟିଆର୍‌ଆଇ)ର ଅନୁମାନ ମୁତାବକ, ଆମେରିକାର ଟାରିଫ୍‌ ଦ୍ୱାରା ଭାରତରୁ ସେଠାକୁ ଯାଉଥିବା ୬୦.୨ ବିଲିୟନ ଡଲାର ରପ୍ତାନି ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଆମେରିକା ବଜାରରେ ଭାରତର ଅଂଶ ହ୍ରାସ ପାଇବ । ବିକଳ୍ପ ବଜାରଗୁଡ଼ିକ ଯେପରି ଚୀନ୍‌, ଭିଏତ୍‌ନାମ ଏବଂ ମେକ୍ସିକୋ ଆଦି ରାଷ୍ଟ୍ରଗୁଡ଼ିକ ବଜାର ଅଂଶ ମାଡ଼ିବସିବେ । ଭାରତର ଶ୍ରମ-ଭିତ୍ତିକ ଶିଳ୍ପଗୁଡ଼ିକରେ ରପ୍ତାନି ପରିମାଣରେ ୭୦% ହ୍ରାସ ସମ୍ଭାବନା ରହିଛି । 

ଅନୁମାନ କରାଯାଇଛି ଯେ, ଆମେରିକୀୟ ଟାରିଫ୍‌ ଯୋଗୁ ସେଠାକୁ ଭାରତର ରପ୍ତାନି ୨୦୨୫-୨୬ରେ ୪୯.୬ ବିଲିୟନ ଡଲାରକୁ ଖସିଯିବ, ଯାହାକି ୨୦୨୪-୨୫ରେ ୮୬.୫ ବିଲିୟନ ଡଲାର ରହିଥିଲା । ଅନ୍ୟପକ୍ଷରେ, ଆମେରିକାର ଏହି ଟାରିଫ୍‌ର ପ୍ରଭାବ ଆଇଟି, ଫାର୍ମା ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିବ ନାହିଁ । ଏବେ ଇଲେକ୍ଟ୍ରୋନିକ୍ସକୁ ଧାରା ୨୩୨ ଅଧୀନରେ ରିହାତି ମିଳିଛି । ଯେ ପର୍ଯ୍ୟନ୍ତ ଏହାର ଘୋଷଣା ନ ହୋଇଛି, ସେ ପର୍ଯ୍ୟନ୍ତ ଆମେରିକାକୁ ଇଲେକ୍ଟ୍ରୋନିକ୍ସ ରପ୍ତାନି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିଭଳି ଫାର୍ମା ଉପରେ ବର୍ତ୍ତମାନ ଟାରିଫ୍‌ ରହିଛି ୦% । କିନ୍ତୁ ଟ୍ରମ୍ପ ୧୮ ମାସରେ ଫାର୍ମା ଟାରିଫ୍‌କୁ ୧୫୦% ଏବଂ ପରେ ୨୫୦%କୁ ବଢ଼ାଇବାର ଧମକ ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହା ଲାଗୁ ନ ହୋଇଛି ସେ ପର୍ଯ୍ୟନ୍ତ ରିହାତି ମିଳିବ । ଆଇଟି ଶିଳ୍ପ ସେବା କ୍ଷେତ୍ରର ଅଂଶ । ଏଥିପାଇଁ ଏହା ମଧ୍ୟ ୫୦% ଟାରିଫ୍‌ରୁ ମୁକ୍ତ । ସିଏନ୍‌ବିସିର ଏକ ରିପୋର୍ଟ ଅନୁସାରେ, ଭାରତରୁ ଆମେରିକାକୁ ସବୁଠାରୁ ଅଧିକ ଗହଣା, ପୋଷାକ, ମେଶିନେରି ଏବଂ କେମିକାଲ ରପ୍ତାନି ହୋଇଥାଏ । ୫୦% ଟାରିଫ୍‌ ଦ୍ୱାରା ଆମେରିକାରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ  । ତେଣୁ ସେଠାରୁ ଅର୍ଡର ଆସିବା କମିଯିବ । ଅର୍ଡର ଆସିବା କମିଯିବା ଦ୍ୱାରା କମ୍ପାନିଗୁଡ଼ିକ ଉତ୍ପାଦନ କମାଇବେ, ଯାହାଦ୍ୱାରା ଛଟେଇ ବଢ଼ିଯିବ । ଅର୍ଥାତ୍‌ ଏସବୁ କ୍ଷେତ୍ରରେ ବଡ଼ ଆକାରରେ ଚାକିରି ଚାଲିଯିବା ଆଶଙ୍କା ରହିଛି । ୫୦% ଟାରିଫ୍‌ ଲାଗୁ ହେବା ଦ୍ୱାରା ଆମେରିକାକୁ ରପ୍ତାନି କମିଯିବ । ଏହାଦ୍ୱାରା ରପ୍ତାନିରୁ ହେଉଥିବା ସରକାରୀ ଆୟ କମିବ । 

ବିଶେଷଜ୍ଞଙ୍କ ଅନୁମାନ, ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୦.୨%ରୁ ୦.୬% ପର୍ଯ୍ୟନ୍ତ କମିପାରେ । ଏହାବ୍ୟତୀତ ସରକାରଙ୍କୁ ନିଜ ବ୍ୟାପାର ନୀତିରେ ପରିବର୍ତ୍ତନ କରିବାକୁ ପଡ଼ିପାରେ । ଆମେରିକା ଉପରେ ନିର୍ଭରତା କମାଇବା ପାଇଁ ୟୁରୋପ, ରୁଷ ତଥା ଅନ୍ୟ ଦେଶଗୁଡ଼ିକରେ ବ୍ୟାପାର ବଢ଼ାଇବାକୁ ହେବ । ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଟାରିଫ୍‌ ଲାଗୁ ହେବା ପରେ ଭାରତର ବାଣିଜ୍ୟ ମନ୍ତ୍ରାଳୟ ପ୍ରାୟ ୫୦ ଦେଶଙ୍କ ପାଇଁ ନୂଆ ରପ୍ତାନି ରଣନୀତି ପ୍ରସ୍ତୁତ କରିଛି । ଏହା ଅଧୀନରେ ଭାରତ ଏବେ ଚୀନ୍‌, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ଭଳି ବଜାର ଉପରେ ଫୋକସ୍‌ କରିବ । ଆଇସ୍‌ଲ୍ୟାଣ୍ଡ, ଲିଙ୍କ୍‌ଟେଷ୍ଟିନ୍‌, ନର୍‌ୱେ ଏବଂ ସୁଇଜରଲାଣ୍ଡ୍‌ ସହ ଭାରତ ବାଣିଜ୍ୟ ଚୁକ୍ତି କରିସାରିଛି । ଏହା ଅକ୍ଟୋବର ୧ରୁ ଲାଗୁ ହେବ । ବ୍ରିଟେନ୍‌ ସହ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ବର୍ଷ ଏପ୍ରିଲରୁ ଲାଗୁ ହୋଇପାରେ । ଓମାନ, ଚିଲି, ପେରୁ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ୟୁରୋପୀୟ ସଂଘ ସହ ଆଲୋଚନା ଜାରି ରହିଛି । ରିପୋର୍ଟ ଅନୁସାରେ, ଭାରତ ସାମୁଦ୍ରିକ ଖାଦ୍ୟ ପାଇଁ ରୁଷ, ବ୍ରିଟେନ, ୟୁରୋପୀୟ ସଂଘ, ନର୍‌ୱେ, ସୁଇଜରଲାଣ୍ଡ ଏବଂ ଦକ୍ଷିଣ କୋରିଆ ଉପରେ ଫୋକସ୍‌ କରୁଛି । 

ସେହିଭଳି ହୀରା ଏବଂ ଆଭୂଷଣ ପାଇଁ ଭିଏତ୍‌ନାମ, ଥାଇଲାଣ୍ଡ, ମାଲେସିଆ ଏବଂ ଆଫ୍ରିକା ଭଳି ବଜାରଗୁଡ଼ିକ ଉପରେ ନଜର ରହିଛି । ଚୀନ୍‌ ପରେ ଭାରତ ହେଉଛି ରୁଷ ତେଲର ବଡ଼ କ୍ରେତା । ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ ରୁଷଠାରୁ ମାତ୍ର ୦.୨%(୬୮ ହଜାର ବ୍ୟାରେଲ/ଦୈନିକ) ତେଲ ଆମଦାନି କରୁଥିଲା । ୨୦୨୩ ମେ’ ସୁଦ୍ଧା ଏହା ବଢ଼ି ୪୫%(ଦୈନିକ ୨୦ ଲକ୍ଷ ବ୍ୟାରେଲ) ହୋଇଛି । ଗତ ଦୁଇ ବର୍ଷ ହେବ ଭାରତ ପ୍ରତିବର୍ଷ ୧୩୦ ବିଲିୟନ ଡଲାର( ୧୧.୩୩ ଲକ୍ଷ କୋଟି ଟଙ୍କା)ରୁ ଅଧିକ ମୂଲ୍ୟର ରୁଷ ତେଲ କିଣୁଛି । ରୁଷ ତେଲକୁ ଆଳ କରି ଆମେରିକା ଭାରତ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇଛି । ଭାରତ ଆମେରିକାକୁ ମୋଟ ୭.୫୯ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଥାଏ ।