ନୂଆଦିଲ୍ଲୀ,୧୯/୧୦: ଚଣ୍ଡୀଗଡ଼ରେ ଏକ ଫାର୍ମାସ୍ୟୁଟିକାଲ କମ୍ପାନି ଦୀପାବଳି ଅବସରରେ ନିଜ କର୍ମଚାରୀଙ୍କୁ କାର୍‌ ଉପହାର ଦେଇଛି । ମିଟ୍ସ କମ୍ପାନି ନିଜର ମୋଟ୍‌ ୫୧ ଜଣ କର୍ମଚାରୀଙ୍କୁ କାର୍‌ ଦେଇଛି । ପଦବୀ ଓ ପ୍ରଦର୍ଶନ ହିସାବରେ କର୍ମଚାରୀଙ୍କୁ ଏହି ଉପହାର ମିଳିଛି । ବରିଷ୍ଠ ପଦରେ ମୁତୟନ କର୍ମଚାରୀଙ୍କୁ ଏସ୍‌ୟୁଭି ମଧ୍ୟ ମିଳିଛି । ମିଟ୍ସ କମ୍ପାନିର ମାଲିକ ଏମ୍‌କେ ଭାଟିଆ ବର୍ଷତମାମ ଭଲ କାମ କରୁଥିବା କର୍ମଚାରୀଙ୍କୁ ଦୀପାବଳିରେ ଗାଡ଼ି ଉପହାର ଦିଅନ୍ତି ।

ଗତ ବର୍ଷ ମଧ୍ୟ ସେ କର୍ମଚାରୀଙ୍କୁ ଗାଡ଼ି ଉପହାର ଦେଇଥିଲେ । ଦୀପାବଳିରେ କର୍ମଚାରୀଙ୍କୁ କାର୍‌ ଉପହାର ଦେଉଥିବା ଚଣ୍ଡୀଗଡ଼ର ଏହା ଏକମାତ୍ର କମ୍ପାନି ବୋଲି ଭାଟିଆ ଦାବି କରିଛନ୍ତି । ଏମ୍‌କେ ଭାଟିଆ ଦୀର୍ଘ ସମୟ ଧରି ଫାର୍ମା କ୍ଷେତ୍ରରେ ଅଛନ୍ତି । ୨୦୦୨ରେ ମେଡିକାଲ ଷ୍ଟୋର୍‌ ଚଳାଉଥିବାବେଳେ ସେ ଦେବାଳିଆ ହୋଇଯାଇଥିଲେ । ଏହା ପରେ ୨୦୧୫ରେ ନିଜର ଫାର୍ମାସ୍ୟୁଟିକାଲ କମ୍ପାନି ଖୋଲି କାମ ଆରମ୍ଭ କଲେ ଏବଂ ସଫଳତା ପାଇଲେ । ଏବେ ତାଙ୍କର ୧୨ କମ୍ପାନି ରହିଛି । ଗତ ୩ ବର୍ଷ ହେଲା ସେ କର୍ମଚାରୀଙ୍କୁ କାର୍‌ ଉପହାର ଦେଉଛନ୍ତି । ସେ କହିଛନ୍ତି, ତାଙ୍କ ସ୍ୱପ୍ନ ପୂରଣ ହୋଇଛି ଯେତେବେଳେ³ କର୍ମଚାରୀଙ୍କ ସ୍ୱପ୍ନ ମଧ୍ୟ ପୂରଣ ହେବା ଉଚିତ୍‌ ।