ପ୍ରୟାଗରାଜ ୧୦/୦୨: ପ୍ରୟାଗରାଜ ମହାକୁମ୍ଭ ମେଳା କ୍ଷେତ୍ରର ତପୋବନ ଆଶ୍ରମରେ ବନାଯାଇଛି ୫୨ ଫୁଟର ମହାମୃତ୍ୟୁଞ୍ଜୟ ଯନ୍ତ୍ର । ଏହି ବିଶାଳାକାୟ ଯନ୍ତ୍ର ନିର୍ମାଣ ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ ୪ କୋଟି ଟଙ୍କା । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିଆଣା ଓ ଉତ୍ତରପ୍ରଦେଶର ୧୦୦ରୁ ଅଧିକ କାରିଗର ମାସାଧିକ କାଳ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହାକୁ ନିର୍ମାଣ କରିଛନ୍ତି । ମକର ସଂକ୍ରାନ୍ତି(ଜାନୁଆରୀ ୧୪)ରୁ ଏହି ଯନ୍ତ୍ର ତଳେ ବସି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି ୧୫୧ ଜଣ ଆଚାର୍ଯ୍ୟ । ସେହିଭଳି ୧୧ ଲକ୍ଷ ୧୧ ହଜାର ୧୧୧ଟି ପଞ୍ଚମୁଖୀ ରୁଦ୍ରାକ୍ଷକୁ ଅଭିମନ୍ତ୍ରିତ କରୁଛନ୍ତି ସେମାନେ । ମହାଶିବରାତ୍ରି ମଧ୍ୟରେ ତାହା ଅଭିମନ୍ତ୍ରିତ ହୋଇଯିବ । ଏହାପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରାଯିବ ।

ସେହି ଅଭିମନ୍ତ୍ରିତ ରୁଦ୍ରାକ୍ଷକୁ ପାଇବା ଲାଗି ଇଚ୍ଛୁକ ଶ୍ରଦ୍ଧାଳୁମାନେ ତପୋବନ ଆଶ୍ରମରେ ନିଜର ନାମ ଓ ଠିକଣା ଦାଖଲ କରିପାରିବେ । ପରବର୍ତ୍ତୀ ସମୟରେ ତାକୁ ଡାକ ଦ୍ୱାରା ଭକ୍ତମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ଆଶ୍ରମର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ହରିଆଣା ହିସାର ମହାମୃତ୍ୟୁଞ୍ଜୟ ପୀଠର ଆଚାର୍ଯ୍ୟ ସ୍ୱାମୀ ସହଜାନନ୍ଦ ବିଶ୍ୱ କଲ୍ୟାଣ ଲାଗି ଏହି ଯନ୍ତ୍ରର ସ୍ଥାପନା କରାଇଛନ୍ତି । ସେ କହିଛନ୍ତି, ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ସୃଷ୍ଟିର ଆରମ୍ଭରେ ପ୍ରୟାଗରାଜରେ ଆଦି ଦେବତା ବ୍ରହ୍ମାଜୀ ପ୍ରଥମ ଯଜ୍ଞ କରିଥିଲେ । ସେଥିଯୋଗୁ ସେ ପ୍ରୟାଗରାଜରେ ହିଁ ଯନ୍ତ୍ରର ସ୍ଥାପନା କରାଇଛନ୍ତି । ମହାକୁମ୍ଭକୁ ପ୍ରତିଦିନ ଆସୁଥିବା ଅନେକ ଶ୍ରଦ୍ଧାଳୁ ଏହି ମହାମୃତ୍ୟୁଞ୍ଜୟ ଯନ୍ତ୍ରର ଦର୍ଶନ କରୁଛନ୍ତି । ଏହାଦ୍ୱାରା ମନୁଷ୍ୟ ମଧ୍ୟରେ ଏକ ଅଲୌକିକ ଶକ୍ତିର ସଞ୍ଚାର ହୋଇଥାଏ ବୋଲି ସ୍ୱାମୀ ସହଜାନନ୍ଦଙ୍କର ମତ ।