କଟକ,୧୦/୦୩: ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ହୁଅନ୍ତୁ କି ଜୀବନ ବଞ୍ଚାଉଥିବା ଡାକ୍ତର³ ଉଚ୍ଚ ବେତନ ପ୍ରାପ୍ତ ଇଞ୍ଜିନିୟର୍ ହୁଅନ୍ତୁ କି ପ୍ରତିଭାବାନ କଳାକାର, ମାନସିକ ଚାପର ମୁକାବିଲା କରିନପାରି ବହୁ ବିଶିଷ୍ଟ ବ୍ୟକ୍ତି ଭାଙ୍ଗି ପଡ଼ୁଛନ୍ତି । ଦୁଶ୍ଚିନ୍ତା ଓ ଚାପ ଏତେ ଅସହ୍ୟ ହେଉଛି ଯେ, ସମ୍ଭାଳି ନପାରି ଅସମୟରେ ଆତ୍ମହତ୍ୟା ଭଳି ଚରମପନ୍ଥା ବାଛି ନେଉଛନ୍ତି । ଖାଲି ସେତିକି ନୁହେଁ, ଜୀବନର ସ୍ୱାଦ ଚାଖିନଥିବା, ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖୁଥିବା ଯୁବ ପିଢି, ଛାତ୍ରଛାତ୍ରୀ ମଧ୍ୟ ଏଭଳି ଅବାଟକୁ ପାଦ ବଢାଉଛନ୍ତି । ଫଳରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ସମାଜରେ ଆତ୍ମହତ୍ୟା ଭଳି ଏକ ଭୟଙ୍କର ସମସ୍ୟା ଦିନୁଦିନ ବଢ଼ିଚାଲିଛି । ସରକାରୀ ତଥ୍ୟ କହୁଛି ଗଲା ୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣ ଆତ୍ମହତ୍ୟା କରିଛନ୍ତି ।
୨୦୨୨ ସେପ୍ଟେମ୍ବର ୨ ତାରିଖରେ କଟକର ସିଡିଏ ସେକ୍ଟର-୯ରେ ରହୁଥିବା ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଘର ଭିତରେ ରଶି ଲଗାଇ ଫ୍ୟାନ୍ରେ ଝୁଲିପଡ଼ିଲେ । ୨୦୨୫ ମାର୍ଚ୍ଚ ମାସ ୧୫ ତାରିଖ, ଦରଘାବଜାର ଥାନା ତିନିକୋଣିଆ ବଗିଚାରେ ଜଣେ ପ୍ରତିଷ୍ଠିତ ମହିଳା ଡାକ୍ତର ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍ରେ ଝୁଲି ଜୀବନ ହାରିଦେଲେ । ୨୦୨୬ ମାର୍ଚ୍ଚ ମାସ ୪ ତାରିଖରେ କଟକ ସିଆର୍ଆର୍ଆଇ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଭଡ଼ାରେ ରହୁଥିବା ଜଗତସିଂହପୁର ବିରିଡ଼ିର ଜଣେ ସିଆର୍ପିଏଫ୍ ଯବାନ ବେକରେ ଲୁଗା ଗୁଡ଼ାଇ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କଲେ । - ଏ ତିନିଟି ଅଘଟଣ କେବଳ ଉଦାହରଣ । ପ୍ରତିବର୍ଷ ଆମ ରାଜ୍ୟରେ ଏଭଳି ହଜାର ହଜାର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ବ୍ୟଥିତ, ବ୍ୟସ୍ତ ବିବ୍ରତ କରୁଛି ।
ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ) ଓ ଏସ୍ସିଆର୍ବି(ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ)ର ତଥ୍ୟ କହୁଛି, ଓଡ଼ିଶାରେ ଗଲା ୧୦ ବର୍ଷରେ ୫୨ ହଜାର ୨୪୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୧୬ ମସିହାରେ ରାଜ୍ୟରେ ୩୯୦୪ ଜଣ ନିଜ ଜୀବନକୁ ନିଜେ ଶେଷ କରିଦେଇଥିଲେ । ୨୦୧୭ରେ ଏହି ସଂଖ୍ୟା ବଢ଼ି ୪୪୯୩, ୨୦୨୧୮ରେ ୪ ହଜାର ୫୯୨ଜଣ, ୨୦୧୯ରେ ୪୫୮୨ ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥିଲେ । ରେକର୍ଡ କହୁଛି, କରୋନା ମହାମାରୀ ସମୟରୁ ଆତ୍ମହତ୍ୟା ଘଟଣା ହୁହୁ ହୋଇ ବଢ଼ିଚାଲିଛି । ୨୦୨୦ରେ ଅର୍ଥାତ୍ କରୋନା ବର୍ଷ ୫ ହଜାର ୪୮୨ ଜଣ, ୨୦୨୧ରେ ୫ ହଜାର ୬୪୯ ଓ କରୋନା ସଂକ୍ରମଣ ବନ୍ଦ ହେବା ଅର୍ଥାତ୍ ୨୦୨୨ ମସିହାରେ ସର୍ବାଧିକ ୬୧୪୦ ଜଣ ଜୀବନ ହାରିଥିଲେ ।
କରୋନା ପରେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା, ଚାକିରି ଚାଲିଯିବା, ରୋଜଗାରର ପନ୍ଥା ନମଳିବା, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଏତେ ସଂଖ୍ୟାରେ ଆତ୍ମହତ୍ୟା ଘଟିଥିବା ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ସେହିପରି ୨୦୨୩ରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲା ଓ ୫ ହଜାର ୯୮୯ ଜଣ ଆତ୍ମହତ୍ୟା କରିଥିଲେ । ସେହିପରି ୨୦୨୪ରେ ୫୭୯୧ ଜଣ ଓ ଗତବର୍ଷ ଅର୍ଥାତ୍ ୨୦୨୫ରେ ୫ ହଜାର ୬୨୨ ଜଣ ଆତ୍ମହତ୍ୟା କରିଛନ୍ତି । ଯଦିଓ ୨୦୨୨ ପରଠାରୁ ଗଲା ତିନି ବର୍ଷ ଆତ୍ମହତ୍ୟାର ସଂଖ୍ୟା କିଛି ମାତ୍ରାରେ କମିଛି, ହେଲେ ବର୍ତ୍ତମାନ ବି ଚିନ୍ତାଜନକ ସ୍ଥିତିରେ ଅଛି ବୋଲି ମାନସିକ ରୋଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଅନ୍ୟପଟେ କଟକ ସହରରେ ଅର୍ଥାତ୍ କଟକ ସହରାଞ୍ଚଳ ଓ ଜିଆର୍ପି ବା ରେଳବାଇ ଅଞ୍ଚଳରେ ଗଲା ୨୦୨୪ରେ ୧୬୭ ଜଣ ଆତ୍ମହତ୍ୟା କରିଥିବା ବେଳେ ଏହି ସଂଖ୍ୟା ୨୦୨୫ରେ ୧୮୧ରେ ପହଞ୍ଚିଛି ।
ଆହୁରି ପଢନ୍ତୁ-ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ପାଇଁ ତତ୍ପରତା: ୧୧ରେ ଶ୍ରୀମନ୍ଦିର ନୀତି ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ନୂଆ ନୀତି ପ୍ରଶାସକ
ଆତ୍ମହତ୍ୟାର ପରିସଂଖ୍ୟାନକୁ ନେଇ ମନସ୍ତତ୍ତ୍ୱବିତ୍ ଡକ୍ଟର ସଂଗୀତା ରଥଙ୍କ କହିବା କଥା, ରାଜ୍ୟରେ ଆତ୍ମହତ୍ୟା ସ୍ଥିତି ଏବେ ଚିନ୍ତାଜନକ । ଏହାକୁ ରୋକିବା ବା ସଂଖ୍ୟା ହ୍ରାସ କରିବା ଦିଗରେ ସମାଜର ବଡ଼ ଦାୟିତ୍ୱ ରହିଛି । ମାନସିକ ଅବସାଦ, ନିରାଶା ଓ ଅସହାୟତା ଏହାର ମୁଖ୍ୟ କାରଣ । ଏସବୁ ଲକ୍ଷଣ କୌଣସି ବ୍ୟକ୍ତିଙ୍କ ପାଖରେ ସିଧାସଳଖ ବା ପରୋକ୍ଷରେ ଦେଖାଗଲେ ପରିବାର ଲୋକ କିମ୍ବା ଆତ୍ମୀୟ ସ୍ୱଜନ ତୁରନ୍ତ ସତର୍କ ହେବା ଉଚିତ । ଏହା ଦ୍ୱାରା ଆତ୍ମହତ୍ୟା ଘଟଣା ବହୁମାତ୍ରାରେ କମିପାରିବ ବୋଲି ଡକ୍ଟର ରଥ ଆଶବ୍ୟକ୍ତ କରିଛନ୍ତି । ଏ ପ୍ରସଙ୍ଗରେ ଏସ୍ସିବି ମେଡ଼ିକାଲ୍ କଲେଜ ମାନସିକ ରୋଗ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସହଯୋଗୀ ପ୍ରଫେସର ଡା. ଅଶ୍ରୁମୋଚନ ସାହୁଙ୍କ କହିବା କଥା, କୌଣସି ବ୍ୟକ୍ତି ପାଇଁ ଆତ୍ମହତ୍ୟା ଶେଷ ବାଟ ନୁହେଁ । ଏହା ଦ୍ୱାରା କୌଣସି ବିଷୟର ସମାଧାନ ହୁଏନି, ବରଂ ସମସ୍ୟା ବୃଦ୍ଧି ପାଇଥାଏ । ଏ ବିଷୟରେ ସଚେତନ କରାଯିବା ଆବଶ୍ୟକ । ଖାସ୍ କରି ଯେଉଁମାନଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେଉଛି ସେମାନଙ୍କୁ ପରିବାର, ସମ୍ପର୍କୀୟ ବୁଝାଇବା ଆବଶ୍ୟକ । ସମାଜର ପ୍ରତ୍ୟକ ବ୍ୟକ୍ତି ଏପ୍ରକାର ସଚେତନତା ଅଭିଯାନରେ ସାମିଲ୍ ହେଲେ ଆତ୍ମହତ୍ୟାର ସଂଖ୍ୟା ଢେର କମିଯିବ ।