ବାରଙ୍ଗ,୧୪।୬ :  ଡକାୟତି ପାଇଁ ଯୋଜନା କରୁଥିବା ବେଳେ ନନ୍ଦନକାନନ ଥାନା ପୋଲିସ  ଖବର ପାଇ ଚଢାଉ କରି  ୬ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଭୁବନେଶ୍ୱର ଜୋନ୍-୬ ଏସିପି ସୋନାଲି ସିଂ ପରମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  

ଶୁକ୍ରବାର ରାତି  ସାଢେ଼ ୧୨ ଟାରେ ନନ୍ଦନକାନନ ପୋଲିସ   ପାଟ୍ରୋଲିଂ   କରୁଥିବା  ବେଳେ ବିଶେଷ ସୁତ୍ରରୁ  ଖବର ମିଳିଥିଲା ଯେ କିଛି ଲୋକ ଏକ ନିକାଞ୍ଚନ ସ୍ଥାନରେ ଡ଼କାୟତି ପାଇଁ ଯୋଜନା କରୁଛନ୍ତି। ନନ୍ଦନକାନନ ଥାନା ଅଧକାରୀ ସମିତା ମିଶ୍ରଙ୍କ ସମେତ  ଅନ୍ୟ କର୍ମଚାରୀ ପହଞ୍ଚି  ଚଢାଉ କରିଥିଲେ। ପୋଲିସ ସେଠାରୁ କଲ୍ୟାଣପୁର ଗ୍ରାମର ସୁନିଲ କୁମାର ସାହୁ ଓରଫ ଗଣେଷ, ସନ୍ତୋଷ ବେହେରା ଓରଫ ଶନ୍ତୁ, ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ, ମନୋଜ ସ୍ୱାଇଁ ଓରଫ ମଣ୍ଟୁ,ପ୍ରତାପ ସ୍ୱାଇଁ ଓ ଗଣେଷ ଜେନାକୁ ଗିରଫ କରିଥିଲା। ସେମାନଙ୍କ ଠାରୁ  ଡକାୟତିରେ ବ୍ୟବହାର ପାଇଁ ରଖିଥିବା ଗୋଟିଏ ଦେଶୀ  ବନ୍ଧୁକ ,  ୬ଟି ଅଫୁଟା ଖୋକା, ଗୋଟିଏ ତେଲେଙ୍ଗା କଟୁରୀ, ଏକ ଖଣ୍ଡା,୨ଟି ରଡ଼ , ଗୋଟିଏ କଳା ରଙ୍ଗର ସ୍କର୍ପିଓ , ୨ ଟି ବାଇକ, ୬ ଟି ମୋବାଇଲ, ଗୋଟିଏ  ସୁନା ଚେନ ସହ   ମଦ ବୋତଲ ଜବତ କରିଥିଲା।  ଏ ସଂକ୍ରାନ୍ତରେ ନନ୍ଦନକାନାନ ଥାନାରେ ମାମଲା ରୁଜୁ କରାଯାଇ ୬ ଜଣଙ୍କୁ  କୋର୍ଟ ଚାଲାଣ କରାଯାଇଥିବା ଭୁବନେଶ୍ୱର ଜୋନ୍ ୬ ଏସିପି ସୋନାଲି ସିଂ ପରମାର ସୂଚନା ଦେଇଛନ୍ତି ।