ସାନଖେମୁଣ୍ଡି,୧୮/୬: ବିଧିର ବିଧାନ କେତେ ଅଜବ ସତରେ । ନିଷ୍ଠୁତ ନିୟତି କଣ ଯେ କେତେବେଳେ ଦେଖାଏ ତାହା କାହାକୁ ବା ଜଣା ।ଆଈଙ୍କ ଶୁଦ୍ଧିକ୍ରିୟା ଭୋଜିକୁ ଆସିଥିଲେ। ନଦୀରେ ଗାଧୋଇବା ବେଳେ ଘଟିଲା ଅଘଟଣ । ନଦୀରେ ବୁଡ଼ି ଆଖି ବୁଜିଛନ୍ତି ୬ ବର୍ଷର ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଜୟନଗର ଗାଁ ପାଖ ଘୋଡ଼ାହାଡ଼ ନଦୀରେ ଆଜି ମଧ୍ୟାହ୍ନରେ ଏହି ଅଘଟଣ ଘଟିଛି ।
ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଜଣେ ଭଉଣୀ ବୁଡିଯିବାର ଦେଖି ଅନ୍ୟ ଭଉଣୀମାନେ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ଭାସି ଯାଇଥିଲେ । ଏଥିରେ ସୋରଡ଼ା ବ୍ଲକ୍ ସିଦ୍ଧପୁର ଅଞ୍ଚଳର ସୁଧାକର ଅଧିକାରୀଙ୍କ ଏକମାତ୍ର ଝିଅ ସୌମ୍ୟାରାଣୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଭଉଣୀଙ୍କୁ ଗାଁ ଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
ସୌମ୍ୟାଙ୍କ ମାଆ ଓ ଦୁଇ ସମ୍ପର୍କୀୟ ଭଉଣୀଙ୍କ ସହିତ ଗାଁ ପାଖ ଘୋଡାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିବା । ନଦୀ ଗଣ୍ଡରେ ବୁଡି ଯାଇଥିଲେ ସୌମ୍ୟା । ଖବରପାଇ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ନିକଟସ୍ଥ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠି ଡାକ୍ତର ସୌମ୍ୟାଙ୍କୁ ମୃତ ଘୋଷଣା କରିଛନ୍ତି ।
ପାଟପୁର ଥାନା ପୁଲିସ ଡାକ୍ତରଖାନାରେ ତଦନ୍ତ କରୁଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶବ ପଠାଯିବ । ମୃତଦେହ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ । ସୌମ୍ୟାଙ୍କ ବାପା କୋରାପୁଟରେ ପୁଲିସ ଚାକିରି କରିଥିବା ବେଳେ ଏକମାତ୍ର ଝିଅର ମୃତ୍ୟୁ ଖବର ଶୁଣି ଗାଁରେ ପହଞ୍ଚିଛନ୍ତି । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।