ମାଲକାନଗିରି,୧୮/୧ : ମାଲକାନଗିରି ବନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ରେଞ୍ଜ ପକ୍ଷରୁ ପକ୍ଷୀ ଗଣନା ଆଜି ହୋଇଛି । ସତିଗୁଡା, ଚିତ୍ରକୋଣ୍ଡା ବାଲିମେଳା ଜଳ ଭଣ୍ଡାର ସହ ସିଲେରୁ, ସାବେରୀ, ସପ୍ତଧାରା, ପାଙ୍ଗମ, ତମସା ଆଦି ନଦୀ ଓ ଜଳ ପ୍ରପାତ ଗୁଡ଼ିକରେ ରବିବାର ଭୋରୁ ଅପରାହ୍ନ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଇ ୬୦ପ୍ରଜାତି ଦେଶୀ ଓ ୧୦ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ପ୍ରଥମ ପର୍ଯ୍ୟୟରେ ଚିହ୍ନଟ କରାଯାଇଥିବା ଡିଏଫଓ ସାଇକିରନ ଡି. ଏନ ଓ ସହକାରୀ ବନ ସଂରକ୍ଷକ ମୁନୁସୁନ ଖେମୁଣ୍ଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପ୍ରଥମ ଥର ଚଳିତ ବର୍ଷ ହାଇସ୍କୁଲ କଲେଜର ଛାତ୍ରଛତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରି ପକ୍ଷୀ ଗଣନା ସମ୍ପର୍କରେ ଅଭିଜ୍ଞତା ଅର୍ଜନ କରିଥିଲେ । ମାଲକାନଗିରି ବନଖଣ୍ଡରେ ଜଳପକ୍ଷୀ ଗଣନା-୨୦୨୬ କରାଯାଇଥିଲା। ମାଲକାନଗିରି ଜିଲ୍ଲାର ୯ଟି ସ୍ଥାନରେ ୨୪ଟି ଦଳ ଦ୍ୱାରା ଗଣନା କରାଯାଇଥିଲା, ଯେଉଁଥିରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସକ୍ରିୟ ଅଂଶ ଗ୍ରହଣଥିଲା ଏବଂ ଏହି ଋତୁରେ ଜିଲ୍ଲାକୁ ଆସୁଥିବା ବିଭିନ୍ନ ପ୍ରବାସୀ ପକ୍ଷୀମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଗଣନା ସମୟରେ ୬୦ରୁ ଅଧିକ ପ୍ରଜାତିର ଦେଶୀ ଓ ୧୦ରୁ ଊର୍ଦ୍ଧ୍ବ ବିଦେଶୀ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି । ଯେଉଁଥିରେ ଟଫ୍ଟେଡ୍ ଡକ୍, ନର୍ଦର୍ଣ୍ଣ ପିଣ୍ଟେଲ୍, ରେଡ୍-କ୍ରେଷ୍ଟେଡ୍ ପୋଚାର୍ଡ ଇତ୍ୟାଦି ପ୍ରବାସୀ ପ୍ରଜାତି ଅନ୍ତର୍ଭୁକ୍ତଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ପକ୍ଷୀ ଗଣନା କାର୍ଯ୍ୟରେ ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରନ ଡି.ଏନ, ସହକାରୀ ବନ ସଂରକ୍ଷକ ମୁନ ସୁନ ଖେମୁଣ୍ଡୁ ଓ ପ୍ରୟଙ୍କାଙ୍କ ସହ ମାଲକାନଗିରି, କାଲିମେଳା, ବାଲିମେଳା, ମୋଟୁ, ଚିତ୍ରକୋଣ୍ଡା, ମାଥିଲି, ରେଞ୍ଜର ଓ ବନ କର୍ମଚାରୀମାନେ ସାମିଲଥିଲେ। ବିଶେଷ କରି ମାଲକାନଗିରି ରେଞ୍ଜ ଅଧୀନ ସତିଗୁଡା ଜଳ ଭଣ୍ଡାର ମଧ୍ୟରୁ ଆଜି ବିଭିନ୍ନ ପ୍ରଜାତିର ମୋଟ ୩୨୦୩ଟି ପକ୍ଷୀ ଗଣନା କରାଯାଇଥିବା ମାଲକାନଗିରି ରେଞ୍ଜର ରମେଶ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।