ନୂଆଦିଲ୍ଲୀ ୧୬/୦୪: ସାମାଜିକ ଗଣମାଧ୍ୟମରେ ଏବେ ଜଣେ ବୟସ୍କ ଅଟୋ ଚାଳକଙ୍କ ଭିଡିଓ ଭାଇରାଲ ହେଉଛି। ସେ ଏକଲାପଣରେ ଏମିତି ଏକ ପରିଭାଷା ଦେଇଛନ୍ତି, ଯାହାକି ବେଶ୍ ହୃଦୟସ୍ପର୍ଶୀ ହେବା ସହ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ସେହିପରି ଭିଡିଓଟିରେ ଡ୍ରାଇଭର ଜଣକ ବୟସ ୬୦ ବର୍ଷ ପାଖାପାଖି ଲାଗୁଛି। ଏହାସତ୍ତ୍ୱେ ବି ସେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରନ୍ତି। ତେବେ ଜଣେ ଯାତ୍ରୀ ତାଙ୍କୁ ପ୍ରଶ୍ନ କରିଛନ୍ତି, ଏତେ ବୟସରେ ଏମିତି ପରିଶ୍ରମ କାହିଁକି କରୁଛନ୍ତି ? ଅଟୋ ଚାଳକ ଜଣକ ତାଙ୍କ ଜୀବନ ବିଷୟରେ ମଧ୍ୟ କହିଥିଲେ। ଅଟୋ ଚାଳକଙ୍କ କହିବାଅନୁଯାୟୀ, ତାଙ୍କ ବାହାଘର ୩୦ ବର୍ଷରୁ ଅଧିକ ସମୟ ହୋଇ ଗଲାଣି। ତାଙ୍କର ତିନି ଝିଅ। ସେମାନେ ଅଲଗା ଅଲଗା ସହରରେ ରହନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ‘ବର୍ଷ ବର୍ଷ ଧରି ଅଟୋ ଚଳାଇ ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ସହ ଏକାଠି ଖାଉଥିଲେ। ହେଲେ ଏବେ ତାଙ୍କ ସ୍ତ୍ରୀ ଏ ଦୁନିଆରେ ନାହାଁନ୍ତି। ସେ ଏବେ ସମ୍ପର୍ଣ୍ଣ ଏକୁଟିଆ। ତେଣୁ ଏହି ଏକାକୀତ୍ୱ ତାଙ୍କୁ ଘରକୁ ଶୀଘ୍ର ଫେରିବାକୁ ଆଉ ବାଧ୍ୟ କରୁ ନାହିଁ।‘ ସେହିପରି ଯାତ୍ରୀ ଜଣକ ପଚାରିଲେ, ଏବେ ଘରକୁ ଯିବେ ତ ? ଏହାର ଉତ୍ତରରେ ସେ କହିଲେ, ‘ଘରେ କିଏ ଅପେକ୍ଷା କରିଥିଲେ ସିନା ଶୀଘ୍ର ଯିବା ଦରକାର ପଡିବ।‘ ଅଟୋ ଚାଳକଙ୍କ ଏହି କଥା ଲୋକଙ୍କୁ ଭାବପ୍ରବଣ କରି ଦେଇଛି। ତା ସହ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।