ମନମୁଣ୍ଡା ୦୮/୦୮: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ ତଥା ସେକ୍ସନ କୁମରକାନି ବିଟ ଅମୂର୍ଡା ମହାନଦୀ କୂଳରେ ଆଜି ମା ପାଇଁ ଗଛ ଟିଏ ଯୋଜନାରେ ବନୀକରଣ କରାଯାଇଛି । ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୂରାଙ୍କ ନେତୃତ୍ୱ ଓ ମନମୁଣ୍ଡା ବନପାଳ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ବୌଦ୍ଧ ଡି ଏଫ୍ ଓ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ଉପସ୍ଥିତିରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ପ୍ରାୟ ୪ ହେକ୍ଟର ଜମିରେ ବାଉଁଶ, ନିମ୍ବ, ମହୁଲ, କର୍ଶ ସମେତ ଆମ୍ବ, ପିଜୁଳି, ଆତ, ଜାମ୍ବୁ, ତେନ୍ତୁଳି, ଅଁଳା ଇତ୍ୟାଦି ବିଭିନ୍ନ କିସମର ପ୍ରାୟ ୬୪୦୦ ବୃକ୍ଷ ରୋପଣର ଶୁଭାରମ୍ଭ କରାଯାଇଛି ।
ଜଙ୍ଗଲ,ବୃଦ୍ଧି, ପରିବେଶ ସୁରକ୍ଷା ଓ ମହାନଦୀର ବନ୍ୟାଜଳରେ ମୃତ୍ତିକା କ୍ଷୟ ରୋକିବା ତଥା ମୃତ୍ତିକା ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିବା ରେଞ୍ଜ ଅଧିକାରୀ ଶ୍ରୀ କୂମୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡି ଏଫ୍ ଓ ଶ୍ରୀ ଗୋଚ୍ଛାୟତ କହିଥିଲେ। ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ବନୀକରଣର ଯତ୍ନ ଓ ସୁରକ୍ଷାରେ ବନ ବିଭାଗକୁ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ବିଧାୟକ ଶ୍ରୀ ଡ଼ାଙ୍ଗ ଅନୁରୋଧ କରିଥିଲେ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ପରିବେଶ ଉପରେ ଏହାର କୁପ୍ରଭାବ ଦେଖା ଦେଇଥିବାରୁ ଜଙ୍ଗଲ ବୃଦ୍ଧି ଅପରିହାର୍ଯ୍ୟ ଅଟେ ଓ ମୋଦିଙ୍କ ମା ପାଇଁ ଗଛଟିଏ ଯୋଜନାକୁ ସଫଳ କରିବା ପାଇଁ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତି ବନ୍ଧୁ ବୈଦ୍ୟନାଥ ହୋତା, ପ୍ରକୃତି ପ୍ରେମୀ ସ୍ଵରାଜ୍ୟ କହଁର ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବନପାଳ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବନ କର୍ମଚାରୀଙ୍କ ସମେତ ଗ୍ରାମବାସୀ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡେପୁଟି ରେଞ୍ଜର ଦେବରାଜ ଛତ୍ରିଆ, ବନପାଳ ଦେବକାନ୍ତ ବେହେରା, ବନରକ୍ଷୀ ରଞ୍ଜିତ ପ୍ରଧାନ, ପ୍ରକାଶ ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ।