ନୂଆଦିଲ୍ଲୀ,୧୯/୦୯:  ରୁଷରେ ପୁଣି ଭୂମିକମ୍ପ ଝଟକା । ରାତି ଅଧରେ ଭୂମିକମ୍ପରେ ଥରିଲା ମାଟି । ମାସକରେ ରୁଷରେ ଅନେକ ଥର ଭୂମିକମ୍ପ ହୋଇଛି । ଯାହା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ରୁଷ କାମଚଟକା ଉପଦ୍ୱୀପରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨ଟା ୨୮ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ୨୦ ମିନିଟ୍‌ ମଧ୍ୟରେ ଦୁଇଟି ଭୂମିକମ୍ପ ଭୂମିକୁ ଥରାଇ ଦେଇଛି । ତୀବ୍ରତା ୭.୮ ରେକର୍ଡ ହୋଇଛି । ସୁନାମୀ ଭୟ ବଢିଛି । ଆଲର୍ଟ ଜାରି ହୋଇଛି ।

ରୁଷ କାମଚଟକାରେ ଆସିଥିବା ପ୍ରଥମ ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ୧୦ କିଲୋମିଟର ତଳେ ଥିବା ଭୂବିଜ୍ଞାନୀ ଅନୁସନ୍ଧାନ କେନ୍ଦ୍ର ଅନୁମାନ କରିଛି । ଦ୍ବିତୀୟ ଝଟକାର ତୀବ୍ରତା ୬ ତୀବ୍ରତାର ଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ । କିନ୍ତୁ ଝଟକା ଲାଗିବା ସମୟର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଘରର ଜିନିଷପତ୍ର ଦୋହଲି ଥିବା ଦେଖିବାକୁ ମିଳିଛି । ଗୋଟିଏ ରାତିରେ ୨ଥର ଲଗାତାର ଭୂମିକମ୍ପକୁ ନେଇ ଲୋକଙ୍କ ଛାତିରେ ଛନକା ପଶିଛି । ଭୂମିକମ୍ପ ପରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିବା ଦେଖିବାକୁ ମିଳିଛି ।  ସୁନାମି ସତର୍କତା ଜାରି କରାଯାଇଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କି ମୃତାହତ ଜନିତ ରିପୋର୍ଟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ଗତ ୧୩ ତାରିଖରେ କାମଚଟ ଦ୍ବୀପରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

ରୁଷ୍‌ କାମଚଟକା ରାଜ୍ୟପାଳ ଭ୍ଲାଦିମିର ସୋଲୋଡୋଭ ଟେଲିଗ୍ରାମ ଜରିଆରେ ଘୋଷଣା କରିଛନ୍ତି ଯେ, ପୂର୍ବ ଉପକୂଳରେ ସୁନାମୀ ବିପଦ ରହିଛି । ଭୂମିକମ୍ପ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟରେ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ । ସମସ୍ତ ଜରୁରୀକାଳୀନ ସେବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହା ପୂର୍ବରୁ ଜୁଲାଇ ୨୯, ୨୦୨୫ରେ ରୁଷିଆର କାମଚଟକା ଦ୍ୱୀପର ପୂର୍ବ ଉପକୂଳରେ ୮.୮ ତୀବ୍ରତାର ବଡ଼ ଭୂମିକମ୍ପ ହୋଇଥିଲା ।  ଯାହା ଫଳରେ ପ୍ରଶାନ୍ତ ମହାସାଗରରେ ସୁନାମି ଆଲର୍ଟ ଜାରି ହୋଇଥିଲା । ଏହି ଭୂମିକମ୍ପ ୨୦୧୧ ପରେ ସବୁଠାରୁ ବଡ଼ ତୀବ୍ରତା ଥିଲା ।

ସୁନାମୀ ସତର୍କତା ଏବଂ ପ୍ରଭାବ- ଭୂମିକମ୍ପ ପରେ, ରୁଷ, ଜାପାନ, ଆଲାସ୍କା, ଗୁଆମ୍, ହାୱାଇ ଏବଂ ଅନ୍ୟାନ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜର ଉପକୂଳ ପାଇଁ ତୁରନ୍ତ ସୁନାମୀ ଆଲର୍ଟ ଜାରି କରାଯାଇଥାଏ । କାମଚଟକାର ଅଞ୍ଚଳରେ ୩-୪ ମିଟର ଉଚ୍ଚ ଜୁଆର ଲହରୀ ଉଠିବା ନେଇ ସୂଚନା ମିଳିଥିଲା । ଫଳରେ ସେଭେରୋ-କୁରିଲସ୍କ ଭଳି ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତୁରନ୍ତ ଉପକୂଳରୁ ଦୂରେଇ ରହିବାକୁ କୁହାଯାଇଥିଲା ।