ପୁରୀ, ୨୬।୫ : ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଘଟିଥିବା ଲିପୁ ଜେନା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। କାଜୁ ଜଙ୍ଗଲରେ ଯୁବକ ଲିପୁ ଜେନାଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ସଦର ଥାନା ପୋଲିସ ସାତଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହ ପାଟଣା ଗ୍ରାମର ଅମିୟ ମାଣିଆ, ମଣ୍ଟୁ ଦାସ, ଦିବାକର ଦାସ, ଶାନ୍ତନୁ ଭୋଇ, ପ୍ରଶାନ୍ତ ସେଠୀ, ରାକେଶ ବେହେରା ଓ ସନ୍ତୋଷ କୁମାର ଦାସ। ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଛୁରୀ, ଲୁହା ରଡ୍, ୬ଟି ବାଇକ୍ ଓ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି।

ଗତ ୨୪ ତାରିଖ ରାତିରେ ପୁରୀ ସଦର ଥାନା ଅନ୍ତର୍ଗତ ନରସିଂହ ପାଟଣା ସେତୁ ନିକଟସ୍ଥ କାଜୁ ଜଙ୍ଗଲରୁଜଗନ୍ନାଥପାଟଣା ଗାଁର ଲିପୁ ଜେନା (୨୫)ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହର ତଣ୍ଟି କଟାଯାଇଥିବାରୁ ଘଟଣାଟି ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଥିଲା। ଘଟଣା ପରେ ପୋଲିସ ବିଭିନ୍ନ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।

ଆହୁରି ପଢନ୍ତୁ :ଆସନ୍ତା ୩୦ରୁ ରାଜ୍ୟରେ ଏସଆଇଆର : କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ କରିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ