ନୂଆଦିଲ୍ଲୀ ୦୮/୦୧: ଗୋଲ୍ଡେନ୍‌ ଗ୍ଲୋବ୍ସ ସମାରୋହ ଶେଷ ହୋଇଛି । ଏଥର ଓସ୍କାରକୁ ଅପେକ୍ଷା । ଚଳିତ ବର୍ଷ ୯୭ତମ ଏକାଡେମୀ ଆୱାର୍ଡସ୍‌ (ଓସ୍କାର) ପାଇଁ ଏକାଡେମୀ ଅଫ୍‌ ମୋସନ୍‌ ପିକ୍‌ଚର ଆର୍ଟସ୍‌ ଆଣ୍ଡ ସାଇନ୍ସ ୩୨୩ ଯୋଗ୍ୟ ଫିଚର୍‌ ଫିଲ୍ମର ନାଁ ଘୋଷଣା କରିଛି । ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ୨୦୭ଟି ଫିଲ୍ମ ପ୍ରତିଯୋଗିତା କରୁଛନ୍ତି । ଏହି ତାଲିକାରେ ୭ ଭାରତୀୟ ଫିଲ୍ମ ସାମିଲ ହୋଇଛି । ଓସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗ ନିମନ୍ତେ ନୋମିନେଟ୍‌ ହୋଇଥିବା ଭାରତୀୟ ଫିଲ୍ମ ମଧ୍ୟରେ ‘କଙ୍ଗୁବା’ (ତାମିଲ), ଆଦୁଜୀବିତମ୍‌ (ଦ ଗୋଟ୍‌ ଲାଇଫ୍‌) (ହିନ୍ଦୀ), ‘ସନ୍ତୋଷ’ (ହିନ୍ଦୀ), ‘ସ୍ୱାତନ୍ତ୍ର‌୍ୟ ବୀର ସାବରକର’ (ହିନ୍ଦୀ), ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ (ମାଲାୟାଲମ୍‌-ହିନ୍ଦୀ), ‘ଗର୍ଲସ୍‌ ୱିଲ୍‌ ବି ଗର୍ଲସ୍‌’ (ହିନ୍ଦୀଇଂରାଜୀ) ଏବଂ ‘ପୁତୁଲ’ (ବଙ୍ଗଳା) ସ୍ଥାନ ପାଇଛି । ସମ୍ମାନାସ୍ପଦ ଓସ୍କାରରେ ନୋମିନେସନ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଏହା ପ୍ରଥମ ବଙ୍ଗଳା ଫିଲ୍ମ ଭାବେ ଇତିହାସ ରଚିଛି । 

ବୁଧବାରଠୁ ଓସ୍କାର ନୋମିନେସନ୍‌ ପାଇଁ ଭୋଟିଂ ଆରମ୍ଭ ହୋଇଛି ଯାହା ଆସନ୍ତା ୧୨ ତାରିଖରେ ଶେଷ ହେବ । ଆସନ୍ତା ୧୭ ତାରିଖରେ ଚୂଡ଼ାନ୍ତ ନୋମିନିଙ୍କ ନାଁ ଘୋଷଣା ହେବ । ଆସନ୍ତା ମାର୍ଚ୍ଚ ୨ ତାରିଖରେ ଓଭେସନ୍‌ ହଲିଉଡ୍‌ର ଡଲ୍‌ବି ଥିଏଟରରେ ଓସ୍କାର ସମାରୋହ ଅନୁଷ୍ଠିତ ହେବ । ଆନିମେଟେଡ୍‌ ଶର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ ଫିଚର୍‌, ଇଣ୍ଟର୍‌ନ୍ୟାସନାଲ ଫିଚର୍‌, ଲାଇଭ୍‌ ଆକ୍ସନ୍‌ ଶର୍ଟ, ମେକ୍‌ଅପ ଆଣ୍ଡ ହେୟାରଷ୍ଟାଇଲିଂ, ମୂଳ ସ୍କୋର୍‌, ମୂଳ ଗୀତ, ସାଉଣ୍ଡ୍‌ ଓ ଭିଜୁଆଲ ଇଫେକ୍ଟସ୍‌ ଭଳି ୧୦ ବିଭାଗ ପାଇଁ ଶର୍ଟଲିଷ୍ଟ୍‌ ତାଲିକା ଏକାଡେମୀ ଘୋଷଣା କରିସାରିଛି । 

ମୂଳ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନୁଜା’ ଚଳିତ ଓସ୍କାର ସମାରୋହରେ ଲାଇଭ୍‌ ଆକ୍ସନ୍‌ ଶର୍ଟ ବିଭାଗ ପାଇଁ ଶର୍ଟଲିଷ୍ଟ୍‌ ହୋଇଛି । ଦୁଇ ଥର ଓସ୍କାର ବିଜେତା ପ୍ରଯୋଜିକା ଗୁନୀତ ମୋଙ୍ଗା ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଛନ୍ତି । ଫିଲ୍ମଟି କପଡ଼ା ଉଦ୍ୟୋଗରେ ଶିଶୁ ଶ୍ରମିକ ବିଷୟ ଉପରେ ଫୋକସ୍‌ କରିଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ନାଗେଶ ଭୋଁସଲେ । ୯୭ତମ ଏକାଡେମୀ ଆୱାର୍ଡସ୍‌ରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍‌ ଫିଲ୍ମ ବିଭାଗ ନିମନ୍ତେ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ କିରନ ରାଓଙ୍କ ‘ଲାପତା ଲେଡିଜ୍‌’କୁ ଚୟନ କରାଯାଇଥିଲା । କିନ୍ତୁ ଏହା ଶର୍ଟଲିଷ୍ଟ୍‌ରୁ ବାଦ୍‌ ପଡ଼ିଲା ।