ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କ୍ରିପ୍ଟୋ ନିବେଶ ନାମରେ ଠକେଇ ମାମଲା , ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡ

Published By : Prameya | April 30, 2025 7:22 PM

କଟକ, ୩୦।୪  :  କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ ମାମଲାର ଶୁଣାଣି କରି ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।   ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ରାଶି  ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟ ଦେଇଛନ୍ତି। 

୨୦୨୩ ମସିହା ଏପ୍ରିଲ୫ ତାରିଖରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ବାସିନ୍ଦା ମହାମାନ୍ୟ ଜେନା କ୍ରିପ୍ଟୋ ନିବେଶ ନାମରେ ଠକାମୀର ଶିକାର ହୋଇଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ  କରିଥିଲେ।  ଅଭିଯୁକ୍ତ ନିଲେଶ କର   ତାଙ୍କୁ ଏକ  ଆପରେ ଟଙ୍କା ନିବେଶ କରି ଅଧିକ ଟଙ୍କା ରୋଜଗାର କରିବାକୁ ପରାମର୍ଶ ଦେଇଥିଲେ।  ସେହି ଅନୁଯାୟୀ ମହାମାନ୍ୟ  ୨୦୨୩ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜମା କରି ସମୁଦାୟ ୨,୧୩,୦୩୮ ଟଙ୍କା ବିନିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୫୦,୫୭,୧୧୭/-  ଟଙ୍କା ମିଳିବ ବୋଲି ଆପ୍ ପକ୍ଷରୁ ସୂଚନା ଦିଆ ଯାଇଥିଲା। ତେବେ ହଠାତ୍ ସମ୍ପୃକ୍ତ ୱେବସାଇଟଟି ବନ୍ଦ  ହୋଇଯାଇଥିଲା। ଫଳରେ ମହାମାନ୍ୟ ଟଙ୍କା ଉଠାଇବାରେ ସକ୍ଷମ ହୋଇନଥିଲେ।  ପରବର୍ତ୍ତୀ ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। 

ଅଭିଯୁକ୍ତ ନିଲେଶ କର ବାଲେଶ୍ୱର ଜିଲ୍ଲା ପାଇଁ ଏହି ନକଲି ୱେବସାଇଟର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। ସାରା ରାଜ୍ୟରେ ୪୦୦ରୁ ଅଧିକ ଲୋକଙ୍କୁ ଏହି ୱେବସାଇଟର ସଦସ୍ୟ ହେବାକୁ ପ୍ରୋତ୍ସାହିତ କରିଥିଲେ ବୋଲି ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଜମାକାରୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ନୀଲେଶ ଆରବିଆଇର ନକଲି ଅନୁମୋଦନ ପତ୍ର ଏବଂ  ଉକ୍ତ  ଆପର ନିଯୁକ୍ତି ପତ୍ର  ମଧ୍ୟ ଦେଖାଇଥିଲେ। ଫଳରେ ସାରା ରାଜ୍ୟର ଜମାକାରୀମାନେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ।  ସାରା ଦେଶରେ  ଉକ୍ତ ନକଲି ୱେବସାଇଟକୁ କ୍ରିପ୍ଟୋ ନିବେଶ ନାମରେ  ନିବେଶକମାନଙ୍କୁ ଠକିବା ପାଇଁ ବ୍ୟବହାର କରାଯାଉଥିଲା ବୋଲି   ଅନୁସନ୍ଧାନରୁ ଜଣାପଡିଥିଲା। ବାଲେଶ୍ୱର ଓପିଆଇଡି କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ। ଇନ୍ସପେକ୍ଟର ତାପସ ରଞ୍ଜନ ସାହୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.