ଫିରିଙ୍ଗିଆ ୧୬/୦୫: ଆଧାରକାର୍ଡରେ ତ୍ରୁଟି ପାଇଁ ୧୭ ମାସ ଧରି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୭୫ ବର୍ଷୀୟ ବୃଦ୍ଧା। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଜଜେଶପାଙ୍ଗା ପଞ୍ଚାୟତର ଲଦଡି ଇପିରିପାଙ୍ଗା ଗାଁରୁ । ଗାଁର ଚମ୍ପା ଦିଗାଲ ନାମକ ଜଣେ ବୃଦ୍ଧାଙ୍କୁ ୬୦ ବର୍ଷ ପରେ ଯୋଗ୍ୟ ହିତାଧିକାରୀ ଭାବରେ ମଧୁବାବୁ ପେନସନ ମିଳି ଆସୁଥିଲା। ଗତ ଦୁଇବର୍ଷ ତଳେ ଭତ୍ତା ହିତାଧିକାରୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ ସଂଯୋଗୀ କରଣ ପ୍ରକ୍ରିୟା ସମୟରେ ତାଙ୍କ ଆଧାର କାର୍ଡରେ ତ୍ରୁଟି ଯୋଗୁଁ ଭତ୍ତା ପାଇବାରୁ ସେ ବଞ୍ଚିତ ହୋଇଥିଲେ I ଭତ୍ତା ପାଇବା ତାଲିକାରେ ତାଙ୍କ ନାଁ ରହିଥିଲେ ମଧ୍ୟ ବୃଦ୍ଧା ଜଣକ ପ୍ରାୟ ୧୭ ମାସ ପର୍ଯ୍ୟନ୍ତ ଭତ୍ତା ପାଇପାରିନାହାଁନ୍ତି I
ତେବେ ଏହାରି ଭିତରେ ବୃଦ୍ଧା ଜଣକ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ପହଂଚି ବହୁବାର ଅଭିଯୋଗ ମଧ୍ୟ କରି ଆସିଛନ୍ତି I ତଥାପି ତାଙ୍କର ସମସ୍ୟାର ସମାଧାନ ହୋଇପାରିନଥିଲା I ଶୁକ୍ରବାର କିଛି ସାମ୍ବାଦିକ ଘଟଣା ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ବୃଦ୍ଧା ପାଖକୁ ପହଂଚିବା ପରେ ପଞ୍ଚାୟତ କାର୍ଯ୍ୟଳୟରେ ବୃଦ୍ଧାଙ୍କ ଭତ୍ତା ପାଇବା ଘଟଣାରେ ବହୁ ଅବହେଳା ହୋଇଥିବା ଜାଣିବାକୁ ପାଇଥିଲେ । ପରେ ସାମ୍ବାଦିକ ମାନେ ବୃଦ୍ଧାଙ୍କ ଏହି ଭତ୍ତା ବିଷୟକୁ ନେଇ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠିଙ୍କୁ ଜଣାଇବାରୁ ତୁରନ୍ତ ଅଫିସରେ ଥିବା କାଗଜ ପାତ୍ରକୁ ଯାଞ୍ଚ କରିବା ସହ ଅନଲାଇନ ମାଧ୍ୟମରେ ଦେଖିବା ପରେ ସମସ୍ତ ତଥ୍ୟ ସାମନାକୁ ଆସିଥିଲା I ଘଟଣାର ସତ୍ୟତା ଜାଣିବା ପରେ ଅଧିକାରୀ ଜଣକ ତୁରନ୍ତ ସମୃକ୍ତ ବୃଦ୍ଧାଙ୍କୁ ଗୋଟିଏ ମାସର ଭତ୍ତା ଟଙ୍କା ପ୍ରଦାନ କରିବା ସହ ଆଗାମୀ ଏକ ମାସ ମଧ୍ୟରେ ହିତାଧିକାରୀଙ୍କ ରହିଯାଇଥିବା ସମସ୍ତ ଟଙ୍କା ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି I