ମୁମ୍ବାଇ ୦୮/୧୦: ରୋହିତ ଶେଟ୍ଟୀଙ୍କ ମଲ୍ଟିଷ୍ଟାରର୍‌ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ପ୍ରାୟ ୫ ମିନିଟ୍‌ର ଏହି ଟ୍ରେଲର୍‌ରୁ ଜଣାପଡୁଛି, ଫିଲ୍ମର କାହାଣୀ ରାମାୟଣ ଦ୍ୱାରା ପ୍ରେରିତ । ଫିଲ୍ମରେ ଅଜୟ ଦେବଗନ ରାମ, କରୀନା କପୁର ସୀତା, ଟାଇଗର ଶ୍ରଫ୍‌ ଲକ୍ଷ୍ମଣ, ରଣବୀର ସିଂହ ହନୁମାନ, ଅକ୍ଷୟ କୁମାର ଜଟାୟୁ ଓ ଅର୍ଜୁନ କପୁର ରାବଣ ଦ୍ୱାରା ପ୍ରେରିତ ଚରିତ୍ରରେ ନଜର ଆସିବେ । ଏହାର କାହାଣୀ ବାଜିରାଓ ସିଂଘମ୍‌ (ଅଜୟ ଦେବଗନ)ଠୁ ଆରମ୍ଭ ହୋଇଛି, ଯାହାଙ୍କ ପତ୍ନୀ (କରୀନା)କୁ ଶ୍ରୀଲଙ୍କାର ଭୟଙ୍କର ଗୁଣ୍ଡା ଡେଞ୍ଜର ଲଙ୍କା (ଅର୍ଜୁନ କପୁର) ଉଠାଇ ନେଇଛି । 

ସିଂଘମ୍‌ଙ୍କ ପତ୍ନୀକୁ ବଞ୍ଚାଇବା ପାଇଁ ଶକ୍ତି ଶେଟ୍ଟୀ (ଦୀପିକା ପାଦୁକୋନ), ଏସିପି ସତ୍ୟା (ଟାଇଗର ଶ୍ରଫ୍‌), ସୂର୍ଯ୍ୟବଂଶୀ (ଅକ୍ଷୟ କୁମାର) ଓ ସିମ୍ବା (ରଣବୀର ସିଂହ) ସିଂଘମ୍‌କୁ ସାହାଯ୍ୟ କରିଛନ୍ତି । ଏମାନଙ୍କ ସାହାଯ୍ୟରେ ସିଂଘମ୍‌ ପଡ଼ୋଶୀ ଦେଶରେ କୋଭର୍ଟ ଅପରେସନ୍‌ କରିଛି । ହିନ୍ଦୀ ସିନେମାର ଏହା ସବୁଠୁ ଲମ୍ବା ଅବଧିର ଟ୍ରେଲର୍‌ । ଏଥିରେ ପ୍ରତ୍ୟେକ ଚରିତ୍ରକୁ ଭରପୂର ସ୍ପେସ୍‌ ମିଳିଛି । ରାମାୟଣ ସହ ଏହାକୁ ବେଶ ଭଲଭାବେ ଯୋଡ଼ାଯାଇଛି । ଫିଲ୍ମରେ ମୋଟ୍‌ ୮ କଳାକାରଙ୍କର ଲିଡ୍‌ ରୋଲ୍‌ ରହିଛି । ଏଥିସହ ଶ୍ୱେତା ତିୱାରୀ, ଦୟାନନ୍ଦ ଶେଟ୍ଟୀ, ରବି କିଶନ ଓ ସିଦ୍ଧାର୍ଥ ଯାଦବ ମଧ୍ୟ ଅଭିନୟ କରିଛନ୍ତି । ଟ୍ରେଲର୍‌ରେ ଦମ୍‌ଦାର ଡାଇଲଗ୍‌ ରହିଛି ।