ତେଲକୋଇ, ୨୬/୦୫ (ଅମରେଶ ପ୍ରଧାନ) : ଡିସେମ୍ବର ମାସରେ ଘର ପୂରା ଜଳିଗଲା । ଯେଉଁଠି ଗୁହାରି କଲେ ବି କିଛି ଲାଭ ମିଳିଲାନି । ଘର ମିଳିବା ତ ଦୂର କଥା ଖଣ୍ଡେ ପଲିଥିନ କେହି ଦେଲେନି । ଶେଷରେ ଛେଳି ଗୁହାଳରେ ପୂରା ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି ମାକି ମୁଣ୍ଡା । ୩ ପୁଅ ବୋହୂ, ପିଲାଛୁଆ ମିଶି ୮ ଜଣିଆ ପରିବାର ଏବେ ପଶୁଙ୍କ ସହ ରହିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଦାମୋଦରଗୈଣି ଗାଁ ପାଚେରୀପାଣି ମୁଣ୍ଡା ସାହିରେ ମାକିଙ୍କ ଘର। ସ୍ୱାମୀ ସନାତନ ମୁଣ୍ଡା ଥିବାବେଳେ ମୂଲ ମଜୁରି କରି ପିଲାଛୁଆଙ୍କୁ ନେଇ ପରିବାର ଚଳାଉଥିଲେ। ହେଲେ ସନାତନ ଅଜଣା ରୋଗରେ ପଡିଲେ । ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ତାଙ୍କର ମୃତ୍ୟୁ ଘଟିଲା ।

ସ୍ୱାମୀ ଚାଲିଗଲା ପରେ ମାକି ମୁଣ୍ଡାଙ୍କୁ ଚାରି ଦିଗ ଅନ୍ଧାର ଦେଖାଗଲା । ତିନି ଛୋଟ ପିଲାଙ୍କୁ ନେଇ କେମିତି ପରିବାର ପ୍ରତିପୋଷଣ କରିବେ । ବହୁ ଦୁଃଖ କଷ୍ଟରେ ପର ଘରେ ମଜୁରି କରି ପିଲାମାନଙ୍କୁ ବଡ କଲେ ଓ ବାହାଘର କଲେ । ବାପଅଜା ଅମଳ ଘରେ ରହି ଆସୁଥିଲେ ପୂରା ପରିବାର । କିନ୍ତୁ ଗତ ଡିସେମ୍ବର ମାସରେ ନିଆଁ ଲାଗି ମାକିଙ୍କ ଘର ସମ୍ପୂର୍ଣ୍ଣ ଜଳିଗଲା । ବାସସ୍ଥାନ ହରାଇବା ପରେ ଅସହାୟ ହୋଇପଡିଲେ ପରିବାର । ମୁଣ୍ଡ ଗୁଞ୍ଜିବାକୁ ଆଉ ରୋଷେଇ କରିବା ପାଇଁ ଘର ନାହିଁ । ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିପାରି ନଥିବା ବେଳେ ସାମାନ୍ୟ ପଲିଥିନ ଖଣ୍ଡେ ମଧ୍ୟ ପାଇଲେନି । ବାଧ୍ୟ ହୋଇ ଖୋଲାମେଲା ଛେଳି ଗୁହାଳରେ ୮ ପ୍ରାଣୀ କୁଟୁମ୍ବକୁ ନେଇ ମାକି ମୁଣ୍ଡା ଚଳୁଛନ୍ତି । ସବୁବେଳେ ବିଷାକ୍ତ ସରୀସୃପ, ଜନ୍ତୁ ଭୟ ରହିଛି । ଏବେ ଖରା ଦିନ ହୋଇଥିବାରୁ ବାହାରେ ରୋଷେଇ କରି ଗଛ ମୂଳେ ଦିନ ଯେମିତି ସେମିତି କଟିଯାଉଛି ।

ଆଗକୁ ଆସୁଛି ବର୍ଷା ଦିନ । ଛେଳି ଗୁହାଳରେ କେମିତି ଦିନ କାଟିବେ ବୋଲି ଚିନ୍ତା ମାଡି ବସିଲାଣି । ତୁରନ୍ତ ଘର ଯୋଗାଇଦେବାକୁ ସାହିବାସୀ ଦାବି କରିଛନ୍ତି । ଏପରିକି ମାକି ବିଧବା ହୋଇଥିବାବେଳେ ତାଙ୍କୁ ଭତ୍ତା ଆଜି ଯାଏ ମିଳିନାହିଁ । କେବଳ ଅନ୍ତ୍ୟୋଦୟ ଚାଉଳ ଓ ପୁଅମାନେ ମଜୁରି କଲେ ପରିବାର ଚଳୁଛି । ତେଣୁ ମାକିଙ୍କ ପରିବାର ଅବସ୍ଥା ଦେଖି ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି । ଏ ସମ୍ପର୍କରେ ତେଲକୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଏଭଳି ଅବସ୍ଥାରେ ଜୀବନ ବିତାଉଥିବା ମାକି ମୁଣ୍ଡାଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ଘର ଦେବାର ବ୍ୟବସ୍ଥା କରାଯିବ । ତା ପୂର୍ବରୁ ଯଥା ଶୀଘ୍ର ସେମାନଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- Odisha BJP : ଆଜି ବିଜେପିରେ ମିଶିବେ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ଏବଂ ବିଜେଡିରୁ ଦେଇଛନ୍ତି ଇସ୍ତଫା