ନୂଆଦିଲ୍ଲୀ/କଟକ, ୨୬/୦୫: ଆଜି ଦିନ ୧୧ଟାରେ ଦିଲ୍ଲୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏହି ଯୋଗଦାନ ବେଳେ ବିଜେପି ଜାତୀୟ ସଭାପତି, ରାଜ୍ୟ ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଶେଷରେ ବିଜେଡି ଛାଡ଼ିଛନ୍ତି । ସୋମବାର ଉଭୟ ଦଳରୁ ଓ ସାଂସଦ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଥିବା ବେଳେ ଦିଲ୍ଲୀରେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ୍ଙ୍କ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି ।
ମଙ୍ଗଳବାର ଦିନ ୧୧ଟାରେ ଦିଲ୍ଲୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେବେ । ଏହି ଯୋଗଦାନ ବେଳେ ବିଜେପି ଜାତୀୟ ସଭାପତି, ରାଜ୍ୟ ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଗତ କିଛି ଦିନ ହେଲା ଦେବାଶିଷ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗରେ ଥିଲେ। ବିଜେପିରୁ ସବୁଜ ସଙ୍କେତ ମିଳିବା ପରେ ଦେବାଶିଷ ଆଜି ଇସ୍ତଫା ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା । ଏବେ ସାଂସଦ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ପୁଣି ଥରେ ବିଜେପି ତରଫରୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ କରାଯିବାକୁ ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି । ‘ଜଗନ୍ନାଥଙ୍କ ଦୟା ହେଲେ ପୁଣି ରାଜ୍ୟସଭାକୁ ଆସିବି, ଓଡ଼ିଶା ପାଇଁ ଅନେକ କିଛି କରିବାର ଅଛି ଓ ଓଡ଼ିଶାରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବାର ଅଛି’ ବୋଲି ଶ୍ରୀ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ନବୀନଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି ଯେ, ସେ ସର୍ବଦା ନିଜକୁ ଦଳର ସ୍ୱାର୍ଥ ପାଇଁ ଉତ୍ସର୍ଗ କରିଆସିଛନ୍ତି । ବହୁ ବର୍ଷ ଧରି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଓ ନିଷ୍ଠାର ସହ ଦଳ ପାଇଁ କାର୍ଯ୍ୟ କରିଛନ୍ତି । ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ସେ ନବୀନଙ୍କ ନିକଟରେ ଚିର ଋଣୀ ରହିବେ । ଏହା ସହିତ ତାଙ୍କୁ ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣଙ୍କ ସେବା କରିବାକୁ ଓ ଜାତୀୟ ସ୍ତରରେ ଓଡ଼ିଶାର ବହୁବିଧ ସମସ୍ୟା ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମାତ୍ର ବର୍ତ୍ତମାନ ପରିସ୍ଥିତିକୁ ନେଇ ସେ ନିଜର କ୍ଷୋଭ ବ୍ୟକ୍ତ କରି କହିଛନ୍ତି, ବିଗତ କିଛି ଦିନ ହେବ ଦଳ ମଧ୍ୟରେ ତାଙ୍କୁ ଯୋଜନାବଦ୍ଧ ଭାବେ ନ୍ୟୂନ କରାଯାଇଛି । ଅପମାନିତ ଓ କୋଣଠେସା କରାଯାଇଛି । ଦଳରେ ତାଙ୍କ ସେବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ସେ ଅନୁଭବ କରୁଛନ୍ତି । ଏହି କାର୍ଯ୍ୟଶୈଳୀ ଯୋଗୁଁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେ ଏହି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଦେବାଶିଷ ୨୦୨୪ ଏପ୍ରିଲରେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲରେ ଶେଷ ହେବାର ଥିଲା ।
ଦିଲ୍ଲୀରେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫାପତ୍ର ଦେଇ ଫେରିବା ବାଟରେ ଗଣମାଧ୍ୟମ ଆଗରେ ଦେବାଶିଷ ଅନେକ କଥା କହି କ୍ଷୋଭ ବ୍ୟକ୍ତ କରିଛନ୍ତି । କହିଛନ୍ତି, ବିଜେଡି ସଂଗଠନ ଠିକ୍ ବାଟରେ ଯାଉନାହିଁ । ଏ ବାବଦରେ ମୁଁ ନବୀନ ବାବୁଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲି। କିନ୍ତୁ ତାଙ୍କୁ ଭେଟିବାକୁ ସୁଯୋଗ ମିଳିଲା ନାହିଁ । ୨୦୨୪ ନିର୍ବାଚନରେ ଯେଉଁମାନେ ସ୍ୱଳ୍ପ ବ୍ୟବଧାନରେ ହାରିଛନ୍ତି ସେମାନଙ୍କୁ ନବୀନ ବାବୁ ଏବେ ସୁଦ୍ଧା ଥରଟିଏ ବି ଭେଟିନାହାନ୍ତି କି କଥା ହୋଇନାହାନ୍ତି । ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଜେଡି ଗଠନ ହୋଇଥିଲା । କିନ୍ତୁ ଏବେ ଦଳର ଆଭିମୁଖ୍ୟ କ’ଣ ସେ କଥା କେହି ଜାଣନ୍ତି ନାହିଁ। ବିଜେଡି ସଂଗଠନ ଭିତରେ ରହି ମୋତେ ଅଣନିଶ୍ୱାସୀ ଲାଗିଲା । ସେଥିପାଇଁ ଏ କଠୋର ନିଷ୍ପତ୍ତି ନେଲି ।
ଏହାସହ ଦେବାଶିଷ ଭି.କେ. ପାଣ୍ଡିଆନ୍ଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଦଳର ପରାଜୟ ପାଇଁ ତାଙ୍କୁ ଦାୟୀ କରିବା ସହ ତାଙ୍କ ଯୋଗୁଁ ସେ ଦଳ ଛାଡୁଥିବା କହିଛନ୍ତି । ଦେବାଶିଷ ସଙ୍କେତ ଦେଇଛନ୍ତି ଯେ, ବିଜେଡିରେ ଅନେକ ନେତା ରହିଛନ୍ତି ଯେଉଁମାନେ ପାଣ୍ଡିଆନଙ୍କ ପ୍ରଭୁତ୍ୱକୁ ବରଦାସ୍ତ କରିପାରୁନାହାନ୍ତି । ସେମାନେ ମଧ୍ୟ ଖୁବ୍ ଶୀଘ୍ର ବିଜେଡି ଛାଡିବାକୁ ବାଧ୍ୟ ହେବେ । ମୁଁ ବିଜେପିକୁ ଗଲେ ସେମାନେ ମଧ୍ୟ ମୋତେ ଅନୁକରଣ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଅଧିକ ପଢ଼ନ୍ତୁ :- Odisha politics : ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଦଳରେ ଅଣଦେଖା କରାଯାଉଥିବାରୁ ଥିଲେ ଅସନ୍ତୁଷ୍ଟ
୨୦୦୦ ମସିହାରେ ପ୍ରଥମେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦେବାଶିଷ । ପରେ ବାରବାଟୀ-କଟକ ଆସନରୁ ୨୦୦୯ ଓ ୨୦୧୪ରେ ବିଜେଡିରୁ ଲଢି ବିଧାୟକ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ବାରବାଟୀ-କଟକ ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ. ମହମ୍ମଦ ମୋକିମ୍ଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ ନିର୍ବାଚନରେ ସେ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ବିଶ୍ୱାସକୁ ନେଇନଥିଲା । ବରଂ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ସୁଯୋଗ ଦେଇଥିଲା । ତେବେ ରାଜ୍ୟସଭା ଯିବା ପରଠାରୁ ସାଂଗଠନିକ ସ୍ତରରେ ତାଙ୍କ ସକ୍ରିୟତା ପୂର୍ବାପେକ୍ଷା କମିଯାଇଥିଲା । ଦେବାଶିଷ ଦଳର ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏପରିକି ଗତବର୍ଷ ନଭେମ୍ୱର ମାସରେ ସେ ବିଜେଡିର ବରିଷ୍ଠ ନାଗରିକ ସାମ୍ମୁଖ୍ୟର ଉପସଭାପତି ପଦକୁ ଗ୍ରହଣ ନକରି ନିଜ କ୍ଷୋଭ ବ୍ୟକ୍ତ କରିଥିଲେ । ଏମିତିକି ଗତ ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଦେବାଶିଷଙ୍କ ନିରବତା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ଆଜି ଦେବାଶିଷ ଉଭୟ ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ବିଜେପିକୁ ଯାଉଥିବା ଜଣାଇଛନ୍ତି ।