ମନମୁଣ୍ଡା, ୧୫/୭: ଆଜି ମନମୁଣ୍ଡା ପୁଲିସ ଏକ କାର ସହ ୮୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। କଣ୍ଟାମାଳ ଥାନା ଅଞ୍ଚଳରୁ ମନମୁଣ୍ଡା ଦେଇ କାରରେ ଗଞ୍ଜେଇ ଚୋରା ଚାଲାଣ ହେବାକୁ ଯାଉଥିବା ଆଜି ସକାଳ ସମୟରେ ମନମୁଣ୍ଡା ପୁଲିସ କୌଣସି ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ଏସଆଇ ଉଦୟନାଥ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଦମାମୁଣ୍ଡା ଛକରେ ଆଜି ସକାଳ ସମୟରେ ଜଗି ରହିଥିଲେ।
ଏହି ସମୟରେ କଣ୍ଟାମାଳ ଦିଗରୁ ଏକ ଧଳା ବ୍ରିଜା କାର ଆସୁଥିବା ଦେଖି ତାକୁ ଅଟକାଇ ତନଖି କରିବାରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇ ଗାଡ଼ି ସହ ଗଞ୍ଜେଇକୁ ଜବତ କରାଯାଇଛି। ଏଥିସହ ଗାଡ଼ିର ଡ଼୍ରାଇଭର ମର୍ଡୋଲ ଗ୍ରାମର ରିଷଭ କର୍ମୀ (୪୦) ଏବଂ ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ମାର୍ଡୋଲ ଗ୍ରାମର ପଞ୍ଚାନନ କର୍ମୀ (୨୪) ଏବଂ ସେଲାମାଲ ଗ୍ରାମର ପ୍ରୀୟବନ୍ଧୁ ବଘାର (୨୫) କୁ ଗିରଫ କରିଥିଲେ।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କଣ୍ଟାମାଳ ଥାନା ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରେ ତାହା ୮୭ କେଜି ହୋଇଥିଲା। ଏନେଇ ଥାନାରେ ଏକ ମାମଲା ନଂ ୨୧୩ ରୁଜୁ କରାଯାଇଛି ଓ ତଦନ୍ତ ଅଧିକାରୀ ଏସଆଇ ସୌମ୍ୟରଞ୍ଜନ ପାତ୍ର ଏହାର ଅଧିକ ତଦନ୍ତ ଚଳାଇଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ରିଷଭ କର୍ମୀ ଲମ୍ବସରି ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ବୋଲି ଜାଣିବାକୁ ମିଳିଛି।