ରାୟଗଡ଼ା ୧୭।୫: ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ରାୟଗଡା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ଜୁଆ ଆଡ୍ଡାରେ ଲୁଟପାଟ୍ ଘଟଣାକୁ ନେଇ ନିଖିଲକୁ ହତ୍ୟା କରାଯାଉଥିବା ରାୟଗଡା ଏସ୍ପି ସ୍ବାତୀ ଏସ୍. କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟତମ ମାଷ୍ଟରମାଇଣ୍ଡ ରାଜ ସିମିଲି ଓ ଅକ୍ଷୟ ସାମଲକୁ ପୋଲିସ ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁରରୁ ଗିରଫ କରିଛି। ଅନ୍ୟ ସହଯୋଗୀ ୱାଇ.ଶ୍ୟାମସୁନ୍ଦର, ଭି.ଲୋକେଶ କୁମାର, ବି.ପବନ କୁମାର ଓ ଏସ୍.ପ୍ରେମ କୁମାରକୁ ଆନ୍ଧ୍ରର ବିଶାଖାପାଟଣାମ୍ ଓ ସୁମିତ ଜୈନକୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏବଂ ରାୟଗଡାରୁ ରାଜା ହୁଇକାକୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ କଳା ରଙ୍ଗର ସ୍କର୍ପିଓ, ବୋଲେରୋ, ୧୧ଟି ମୋବାଇଲ ଫୋନ୍ ଓ କିଛି କ୍ରେଡିଟ୍ କାର୍ଡ ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି ।
କୋରାପୁଟ ଜିଲ୍ଲାର ଆଲମଣ୍ଡାରେ ଜୁଆ ଖେଳ ଚାଲିଥିବା ବେଳେ ମୃତ ହାଡପା ନିଖିଲ ଓ ତାର ଏକ ଗ୍ୟାଙ୍ଗ୍ ଉକ୍ତ ସ୍ଥାନକୁ ଯାଇ ଜୁଆଡି ମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ ସୁନା ଓ ନଗଦ ଟଙ୍କା ଲୁଟ୍ କରିଥିଲା । ଆଉ ଏହି ଲୁଟ୍ ଘଟଣାକୁ ନେଇ ଅଭିଯୁକ୍ତ ଉମେଶ ହିଆଲଙ୍କ ସହ ନିଖିଲର ପାଟିତୁଣ୍ଡ ହୋଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି ।
ଗତ ୯ ତାରିଖ ଦିନ ଇନ୍ଦିରାନଗର ଅଞ୍ଚଳରେ ଅଭିଯୁକ୍ତ ମାନେ ନିଖିଲକୁ ଗୋଡେଇ ଗୋଡେଇ ବନ୍ଧୁକରେ ଗୁଳି ମାରିଥିଲେ । ପରେ ନିଖିଲର ମୃତଦେହ ନାଗାବଳୀ ନଦୀପଠାରେ ପକାଇଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ନିଖିଲର ପରିବାର ଥାନାରେ ଏତଲା ଦେବା ପରେ ପୋଲିସ ୬ଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟ ମାନେ ମଧ୍ୟ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ : ତରଭୁଜ ଖାଇ ନାବାଳକ ମୃତ ଘଟଣା : ସ୍ବାସ୍ଥ୍ୟ ବିଭାଗ ଟିମ୍ର ଯାଞ୍ଚ